ଭୁବନେଶ୍ୱର: ରାଜ୍ୟରେ ନୂଆ ସରକାର ଆସିବା ପରେ ଦ୍ୱିତୀୟ ଥର ପାଇଁ ହେବାକୁ ଯାଉଛି ମହାନଦୀ ଟ୍ରିବ୍ୟୁନାଲରେ ଶୁଣାଣି । ଦୀର୍ଘ ଦିନଧରି ଲାଗିରହିଥିବା ଜଳ ବିବାଦର ସମାଧାନ ପାଇଁ ଆଜି ସଚିବ ସ୍ତରୀୟ ଆଲୋଚନା କରାଯିବ । ତେବେ ଏହା ପୂର୍ବରୁ ଗତ ଜୁଲାଇ ୧୭ରେ ହୋଇଥିବା ଶୁଣାଣିରେ ଉଭୟ ଛତିଶଗଡ଼ ଓ ଓଡିଶାର ମୁଖ୍ୟମନ୍ତ୍ରୀ ସାମିଲ ହୋଇ ଆଲୋଚନା କରିଥିଲେ । ଏନେଇ ଆଡଭୋକେଟ୍ ଜେନେରୋଲ ପିତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ତେବେ ଆଜିର ଶୁଣାଣିରୁ କିଛି ନିଷ୍କର୍ଷ ବାହାରିବ ବୋଲି ଆଶା କରାଯାଉଛି । ଶୁଣାଣି ପୂର୍ବରୁ ବିଶେଷଜ୍ଞଙ୍କଠାରୁ ଆରମ୍ଭ କରି ବୁଦ୍ଧିଜୀବୀ, ସାମାଜିକ ସଂଗଠନ ଓ ବିଭିନ୍ନ ଦଳର ନେତା ଏକାଠି ହୋଇ ବିବାଦର ଆପୋଷ ସମାଧାନ ନେଇ ଆଲୋଚନା କରିଛନ୍ତି । ମହାନଦୀ ବଂଚାଅ ଆନ୍ଦୋଳନ ପକ୍ଷରୁ ଆୟୋଜିତ ଏହି ଆଲୋଚନା ପରେ ସଂଗଠନ ପକ୍ଷରୁ ସରକାରଙ୍କୁ ଏକ ରିପୋର୍ଟ ଦିଆଯିବ ।
ଗତ ଶୁଣାଣି ପରେ ଆପୋଷ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା । କିନ୍ତୁ ଆପୋଷ ଆଲୋଚନା ଦ୍ବାରା ମହାନଦୀ ବିବାଦର ସମାଧାନ ଏକ ଜଟିଳ ବ୍ୟାପାର ହୋଇଥିବାରୁ ସନ୍ଦେହ ରହିଛି । ଆପୋଷ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବେ ନା ନ୍ୟାୟିକ ଲଢ଼େଇ ଲଢ଼ିବେ? ରାଜ୍ୟ ସରକାର ତାହା ସ୍ପଷ୍ଟ କରିବାକୁ ଦାବି କରିଛନ୍ତି ବିରୋଧୀ ।
ମହାନଦୀ ଓଡ଼ିଶାର ଜୀବନ ରେଖା । ଅଢେଇ କୋଟି ଜୀବନ ଜୀବିକା ମହାନଦୀ ସହ ଜଡିତ। ୨୦୧୭ ମସିହାରେ ଛତିଶଗଡ ବେଆଇନ ଭାବେ ମହାନଦୀ ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ କରିଥିଲା । ମହାନଦୀ ଓ ଏହାର ଶାଖା ନଦୀ ଉପରେ ଛତିଶଗଡ଼ ଗୋଟିଏ ପରେ ଗୋଟିଏ ପ୍ରକଳ୍ପ ନିର୍ମାଣ କରିଚାଲିଥିବା ବେଳେ ତାହାର ପ୍ରଭାବ ଓଡ଼ିଶା ଉପରେ ପଡ଼ୁଛି। ଓଡ଼ିଶାକୁ ଆବଶ୍ୟକ ପରିମାଣର ପାଣି ମିଳିପାରୁନି। ଏଣେ ଓଡ଼ିଶା ସରକାର ଗତ ୮ ବର୍ଷରେ ଗୋଟିଏ ବି ବ୍ୟାରେଜ୍ ନିର୍ମାଣ କରିପାରିନାହାନ୍ତି। କେବଳ ଘୋଷଣା ଓ ସତ୍ୟାଗ୍ରହରେ ସୀମିତ ରହିଛନ୍ତି।
କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଶ୍ରୀମାନ ଚିତ୍ତରଂଜନ ପାଟିଲ ସେପ୍ଟମ୍ବର ମାସରେ ଓଡ଼ିଶା ଗସ୍ତରେ ଆସିବା ଅବସରରେ କହିଲେ 'ମହାନଦୀ ଜଳ ବିବାଦ ସମସ୍ୟାର ସମାଧାନ ଖୁବ ଶୀଘ୍ର ହେବ, ମହାନଦୀ ଜଳ ବିବାଦ ଟ୍ରିବୁନାଲ ଏ ଦିଗରେ ତ୍ବରିତ ପଦକ୍ଷେପ ନେବ' । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମହାନଦୀ ଜଳ ବିବାଦର ସମାଧାନ ପାଇଁ ସେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କ ସହିତ ଦୁଇଥର କଥା ହୋଇ ସାରିଛନ୍ତି' ।
ମହାନଦୀକୁ ନେଇ ବିବାଦ ଲାଗି ରହିଥିଲେ ବି ଉପରମୁଣ୍ଡରେ ନୂଆ ପ୍ରକଳ୍ପ ଜାରି ରଖିଛି ଛତିଶଗଡ଼ । ତେଣୁ ଆଜିର ବୈଠକରେ ଓଡ଼ିଶା ସରକାର କେଉଁ ତଥ୍ୟ ରଖିବେ? ରାଜ୍ୟ ସରକାରଙ୍କ ଆଭିମୁଖ୍ୟ କ’ଣ ରହିବ? ତା ଉପରେ ସମସ୍ତଙ୍କ ନଜର ରହିଛି ।