ହାଇଦ୍ରାବାଦ: ତେଲେଙ୍ଗାନା ସାଙ୍ଗାରେଡ୍ଡି ଜିଲ୍ଲାର ଏକ ରାସାୟନିକ କାରଖାନାରେ ହୋଇଥିବା ବିସ୍ଫୋରଣ ଘଟଣାରେ ୪ ଜଣ ଓଡ଼ିଆଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ଏହା ସହିତ ଆଉ ୪ ଜଣ ଓଡ଼ିଆ ଶ୍ରମିକ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ମୃତକମାନେ ହେଲେ ଗଞ୍ଜାମର ଜଗନମୋହନ, କଟକ ତିଗିରିଆର ଲଗ୍ନଜିତ ଦୁଆରୀ, ବାଲେଶ୍ୱରର ମନୋଜ ରାଉତ ଏବଂ ଯାଜପୁର ଜିଲ୍ଲାର ଦୋଳଗୋବିନ୍ଦ ସାହୁ ।
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଦୁଇ ଜଣିଆ ଟିମ୍ ତେଲେଙ୍ଗାନା ଗସ୍ତ କରିଛନ୍ତି । ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ଓଏସଡି ପ୍ରୀତିଶ ପଣ୍ଡା ସାଙ୍ଗାରେଡ୍ଡି ଜିଲ୍ଲାର ଉପଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି । ପ୍ରାଥମିକ ସ୍ତରରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ସମସ୍ତଙ୍କ ମୃତ ଦେହକୁ ଆମ୍ବୁଲାନ୍ସ ଯୋଗେ ଓଡ଼ିଶାକୁ ପଠାଯାଇଛି । ଆହୁରି କିଛି ଶ୍ରମିକ ନିଖୋଜ ଥିବାରୁ ଅନ୍ୟମାନଙ୍କ ବାବଦରେ ସଠିକ ସୂଚନା ମିଳି ପାରି ନାହିଁ ବୋଲି ଓଏସଡି କହିଛନ୍ତି ।
ଗଞ୍ଜାମର ସମୀର ପାଢ଼ୀ ଗୁରୁତର ହୋଇ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ଶରୀର ପ୍ରାୟ ୩୫ ପ୍ରତିଶତ ପୋଡ଼ିଯାଇଥିବା ଓଏସଡି ପ୍ରୀତିଶ ପଣ୍ଡା ସୂଚନା ଦେଇଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ସୋମବାର ସାଙ୍ଗାରେଡ୍ଡିର ପାସମେଲାରାମ ଫେଜ୍-୧ସ୍ଥିତ ସିଗାଚି ଫାର୍ମା ପ୍ଲାଣ୍ଟରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା, ଯାହା ପରେ କାରଖାନାରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଏହି ସମୟରେ କାରଖାନାରେ ଉପସ୍ଥିତ ଥିବା କର୍ମଚାରୀଙ୍କ ଗୁରୁତର ହୋଇଥିଲେ । ସେମାନଙ୍କ ମଧ୍ୟରୁ ୩୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୭ ଜଣ ନିଖୋଜ ଅଛନ୍ତି ।