ଭରୁଚ: ଗୁଜୁରାଟର ଭରୁଚ ଜିଲ୍ଲାର ଅଙ୍କଲେଶ୍ୱରରେ ଥିବା ଜିଆଇଡିସି ଅଞ୍ଚଳରେ ମଙ୍ଗଳବାର ଏକ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୪ ଜଣ ଶ୍ରମିକ ପ୍ରାଣ ହରାଇଥିବା ଜଣାପଡ଼ିଛି । ଏହା ସହିତ ପ୍ରାୟ ୨୪ ଜଣ ଆହତ ହୋଇଛନ୍ତି । ଏ ନେଇ ଭରୁଚ ପୁଲିସ ଅଧିକ୍ଷକ ମୟୁର ଚାୱଡ଼ା ସୂଚନା ଦେଇଛନ୍ତି । ଡିଟକ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀରେ ଏହି ଅଘଟଣ ଘଟିଛି । ଶ୍ରମିକମାନେ କମ୍ପାନୀର ଏକ ଷ୍ଟୋରେଜ୍ ଟ୍ୟାଙ୍କର ଉପରେ କାମ କରୁଥିବା ହଠାତ୍ ବିସ୍ଫୋରଣ ହୋଇଥିଲା ବୋଲି ସୂଚନା ମିଳିଛି । ଘଟଣା ପରେ ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।
ଭରୁଚ ବିଜେପି ସାଂସଦ ମନସୁଖ ବାସବା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ସେ ଗୁଜୁରାଟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦକୁ ଏଥିପାଇଁ ଦାୟୀ କରିଛନ୍ତି । ଏହା ସହିତ ସମ୍ପୃକ୍ତ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହାର ମାତ୍ର କେଇଟା ଦିନ ପୂର୍ବରୁ ବଡ଼ୋଦରା କୋୟାଲୀ ଅଞ୍ଚଳରେ ଏକ ଅଏଲ ରିଫାଇନାରୀରେ ବିସ୍ଫୋରଣ ହୋଇଥିଲା । ଯାହା ଫଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ସମସ୍ତ ଶ୍ରମିକଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିଲା ।