ସମ୍ବଲପୁର ପୋଲିସକୁ ମିଳିଛି ବଡ ସଫଳତା । ବେଆଇନ ଭାବରେ ଦେଶୀ ବନ୍ଧୁକ ତିଆରି ହେଉଥିବା କାରଖାନା ଉପରେ ଚଢ଼ାଉ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ । ସମ୍ବଲପୁର ଏସ୍ପିଙ୍କ ନିର୍ଦ୍ଦେଶରେ ଜମନକିରା ପୋଲିସ ପକ୍ଷରୁ ବଡରମା ଘାଟି ଓ ବାସୁପାଲି ଠାରେ ଚଢ଼ାଉ କରି ୨୨ ଗୋଟି ଦେଶୀ ବନ୍ଧୁକ ଜବତ ସହ ମୋଟ ୩ ଜଣକୁ ଗିରଫ କରାଯାଇଛି। ଏହି ଘଟଣାରେ ପୋଲିସ ୨ ମୋବାଇଲ ଫୋନ ସହ ଦେଶି ବନ୍ଧୁକ ତିଆରିରେ ବ୍ୟବହାର ହେଉଥିବା ବିଭିନ୍ନ ସାମଗ୍ରୀକୁ ଜବତ କରିଛି । ଏସ୍ପି ମୁକେଶ କୁମାର ଭାମୁ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନା ଅନୁଯାୟୀ, ଏଠାରେ ୨ ବର୍ଷ ହେବ ବେଆଇନ ଭାବରେ ଦେଶୀ ବନ୍ଧୁକ ତିଆରି ହେଉଥିଲା । ପରେ ଏହି ବନ୍ଧୁକକୁ ଲୋକଙ୍କୁ ୧୫ ରୁ ୨୦ ହଜାର ଟଙ୍କାରେ ବିକ୍ରି କରାଯାଉଥିଲା । ତେବେ ପୋଲିସ ଚଢାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ୩ ଅଭିଯୁକ୍ତ ବିଦ୍ୟାଧର ପ୍ରଧାନ,ଅରୁଣ ଭୋଇ ଓ ଗଣେଶ ସିଂଙ୍କ ନାମରେ ପୁର୍ବରୁ ମଧ୍ୟ ବିଭିନ୍ନ ଥାନାରେ ଅପରାଧିକ ମାମଲା ଥିବା ନେଇ ଏସ୍ପି କହିଛନ୍ତି। ତେବେ ଏଥିରେ ଆଉ କାହାର ସଂପୃକ୍ତି ରହିଛି କି ନାହିଁ ସେ ନେଇ ତଦନ୍ତ ଜାରି ରହିଥିବା ବେଳେ ରାଜ୍ୟ ବାହାରକୁ ଏହି ଚେର ଲମ୍ବିଛି କି ନାହିଁ ସେ ବିଷୟ ମଧ୍ୟ ତଦନ୍ତ ପରିସରରେ ଥିବା ଏସ୍ପି କହିଛନ୍ତି।
ଅଧିକ ପଢନ୍ତୁ : ୧୭୫ ଲିଟର ଦେଶୀ ମଦ ଜବତ : ୬ ଗିରଫ