ବ୍ରହ୍ମପୁର: ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ଜଣେ ପୂର୍ବତନ କର୍ପୋରେଟର ଓ ଛାତ୍ର ନେତାଙ୍କୁ ଅଟକ ରଖି ପଚରାଉଚରା କରୁଛି । ପ୍ରାୟ ୨ ଦିନ ହେବ ୨ ଜଣଙ୍କୁ ଅଟକ ରଖାଯାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ଏହା ସହିତ କିଛି ପୁରୁଣା ଅପରାଧିଙ୍କ ଶ୍ରେଣୀର ବ୍ୟକ୍ତି ମଧ୍ୟ ଅଟକ ଅଛନ୍ତି । ଖବୁଶୀଘ୍ର ପୀତବାସଙ୍କ ମାମଲାରେ ଏକ ବଡ଼ ଖୁଲାସା ହୋଇପାରେ ବୋଲି ଆଶା କରାଯାଉଛି ।
ପୂର୍ବରୁ ମାମଲାରେ ଦୁଇ ଜଣଙ୍କ ବ୍ୟକ୍ତିଙ୍କୁ ବିହାରରୁ ଗିରଫ କରାଯାଇଛି । ସେଥିମଧ୍ୟରେ ଜଣେ ସାର୍ପ ସୁଟର୍ ଏବଂ ଜଣେ ରେକି କରୁଥିଲା । ତେବେ ଏ ନେଇ ବ୍ରହ୍ମପୁର ପୋଲିସ ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ପ୍ରଦାନ କରାଯାଇନାହିଁ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଚଳିତ ମାସ ୬ ତାରିଖ, ସୋମବାର ରାତି ପ୍ରାୟ ୧୦ଟାରେ ନିଜ ଘର ପାଖ ବୈକୁଣ୍ଠନଗର ରାସ୍ତାରେ ପୀତବାସ ଯାଉଥିବା ସମୟରେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରକୁ ଗୁଳି କରି ହତ୍ୟା କରିଥିଲେ । ମାମଲାରେ ପୋଲିସ ୫୦ରୁ ଅଧିକ ଲୋକଙ୍କ ଜେରା କରିସାରିଲାଣି । ତଥାପି ଏ ଯାଏଁ ପ୍ରକୃତ ହତ୍ୟାକାରୀଙ୍କୁ ଧରାଯାଇ ନାହିଁ ।