ଅନୁଗୁଳ: ଅନୁଗୁଳ ଜିଲ୍ଲା ଜାତୀୟ ରାଜପଥ-୫୫ର ଜରପଡ଼ା ଥାନା ଅନ୍ତର୍ଗତ ମରାତିରା ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏକ କାର୍ ଏବଂ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଛାତ୍ର ବିଜେଡି ନେତା ଅଛନ୍ତି । ବିଜେଡ଼ି ଛାତ୍ର ନେତା ହେଲେ ଅମିତ କୁମାର ସାହୁ ଓ ଅନ୍ୟ ଜଣେ ଭୀଷ୍ମ ସାହୁ । ଗୁରୁତର ବ୍ୟକ୍ତି ଜଣ ହେଲେ ସନ୍ଥପଡ଼ା ଗାଁର ଗୋପାଳ ।
ଗତକାଲି ରାତି ପ୍ରାୟ ୧୨ଟା ୪୦ ମିନିଟ୍ ସମୟରେ ଏକ କାରରେ ୩ ଜଣ ଯୁବକ ଅନୁଗୁଳରୁ ସମ୍ବଲପୁର ଅଭିମୁଖେ ଯାଉଥିଲେ। ସେମାନେ ଏକ ବିବାହଘର ଉତ୍ସବରେ ଯୋଗ ଦେବାକୁ ଯାଉଥିଲେ । ମରାତିରା ଛକ ନିକଟରେ ଏକ ପାଇପ୍ ବୋଝେଇ ଟ୍ରକ୍କୁ କାର୍ ପଛ ପଟୁ ଧକ୍କା ହୋଇଥିଲା । ଏହା ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଜଣେ ଗୁରୁତର ହୋଇଥିଲେ । ଗୁରୁତରଙ୍କୁ ତୁରନ୍ତ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଖବର ପାଇ ତୁରନ୍ତ ପୋଲିସ ସେଠାରେ ପହଁଚି ମୃତ ଦେହ ଓ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି । ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର୍ ଫେରାର ହୋଇଯାଇଛି ।