ରାଉରକେଲା: ରାଉରକେଲାରେ ଜଣେ ମେଡ଼ିସିନ୍ କମ୍ପାନୀ ମ୍ୟାନେଜରଙ୍କର ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତକ ହେଲେ ମେଡିସିନ୍ କମ୍ପାନୀ ମ୍ୟାନେଜର ଭାଗିରଥୀ ସାହୁ । ଭାଗିରଥୀଙ୍କ ଘର ଜଗତସିଂହପୁର ନୂଆଗାଁ ଅଞ୍ଚଳରେ ବୋଲି ଜଣାପଡିଛି । ରଘୁନାଥପାଲି ଥାନା ସିଭିଲ୍ ଟାଉନସିପ୍ ଅଞ୍ଚଳରୁ ତାଙ୍କର ମୃତ ଦେହ ମିଳିଛି । ତାଙ୍କୁ କେହି ହତ୍ୟା କରି ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି ।
ଖବର ଅନୁଯାୟୀ, ଭାଗିରଥୀ ସାହୁ ଏବଂ ତାଙ୍କର ଦୁଇ ଜଣ ସାଙ୍ଗ ଗୋଟିଏ ଭଡ଼ା ଘରେ ରହୁଥିଲେ । ତିନି ଜଣଙ୍କ ମଧ୍ୟରେ ପୂର୍ବରୁ କୌଣସି କଥାକୁ ନେଇ ବିବାଦ ହୋଇଥିଲା । ଗତକାଲି ରାତିରେ ଉଭୟ ମିଶି ଭୋଜି କରୁଥିଲେ । ହେଲେ ଶନିବାର ଦିନ ସକାଳୁ ମ୍ୟାନେଜର ଭାଗିରଥୀ ସାହୁଙ୍କ ମୃତଦେହ ମିଳିଛି । ଏ ନେଇ ରଘୁନାଥପାଲି ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ମୃତ ଦେହକୁ ଜବତ କରିଛି । ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ସେପଟେ ତାଙ୍କର ଦୁଇ ଜଣ ସାଙ୍ଗର କୌଣସି ପତ୍ତା ମିଳୁ ନାହିଁ । ପୋଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇ ତଦନ୍ତ ଆରମ୍ଭ କରିଛି ।