ନୂଆଦିଲ୍ଲୀ/ଭୁବନେଶ୍ୱର: ଖୁବଶୀଘ୍ର ଭୁବନେଶ୍ୱରରେ ଖୋଲିବ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଆସନ୍ତା ଏପ୍ରିଲ ୧ ଅର୍ଥାତ୍ ‘ଓଡ଼ିଶା ଦିବସ’ ଅବସରରେ ଭୁବନେଶ୍ୱରରେ ଏକ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଏ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭିଏଫଏସ ଗ୍ଲୋବାଲ ଗ୍ରୁପର ପ୍ରତିଷ୍ଠାତା ତଥା ସିଇଓ ଜୁବିନ କର୍ମକାରିଆ ଚିଠି ଲେଖି ସୂଚିତ କରିଛନ୍ତି ।
ଓଡ଼ିଶାରୁ ବିଦେଶକୁ ଉଚ୍ଚଶିକ୍ଷା ଓ ବ୍ୟବସାୟ ପାଇଁ ଯାଉଥିବା ଯୁବବର୍ଗଙ୍କ ସୁବିଧା ପାଇଁ କେନ୍ଦ୍ର ମନ୍ତ୍ରୀ ଗତବର୍ଷ ଅର୍ଥାତ୍ ସେପ୍ଟେମ୍ବର ୨ରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ୍. ଜୟଶଙ୍କରଙ୍କୁ ପତ୍ର ଲେଖି ଏକ ସ୍ଥାନୀୟ କେନ୍ଦ୍ର ପ୍ରତିଷ୍ଠା ପାଇଁ ଅନୁରୋଧ କରିଥିଲେ । ଏଥିସହିତ ସେ ଭିଏଫଏସର ଗ୍ଲୋବାଲ ସିଇଓ ଜୁବିନ କର୍କାରିଆଙ୍କ ସହ ସାକ୍ଷାତ କରି ଆଲୋଚନା କରିଥିଲେ । ତେବେ ଭିଏଫଏସର ଗ୍ଲୋବାଲ ସିଇଓ ଏହି ପ୍ରସ୍ତାବକୁ ସ୍ୱୀକାର କରି ଭୁବନେଶ୍ୱରରେ ୧ ଏପ୍ରିଲରୁ ଭିସା ଆବେଦନ କେନ୍ଦ୍ର ଖୋଲିବା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ପତ୍ର ଲେଖି ଜଣାଇଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ଏହି କେନ୍ଦ୍ରରୁ ୟୁକେ ଏବଂ କେତେକ ବଛାବଛା ଦେଶ ପାଇଁ ଭିସା ଆବେଦନ ଗ୍ରହଣ କରାଯିବ । ପରବର୍ତ୍ତୀ ସମୟରେ ଚାହିଦା ଅନୁଯାୟୀ ଅନ୍ୟ ଦେଶଗୁଡ଼ିକୁ ମଧ୍ୟ ଏଥିରେ ସାମିଲ କରାଯିବ । ଏହି କେନ୍ଦ୍ର ମାଧ୍ୟମରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ ଦିଆଯାଇ ନିଯୁକ୍ତି ପ୍ରଦାନ କରାଯିବ । ଭିସା କେନ୍ଦ୍ର ସହିତ 'ଭିସା କନସିଅର୍ଜ ସେବା' ମଧ୍ୟ ଉପଲବ୍ଧ ହେବ, ଯାହା ଫର୍ମ ପୂରଣ, ବୀମା ଏବଂ ଅନ୍ୟାନ୍ୟ ପ୍ରକ୍ରିୟାକୁ ସହଜ କରିବ ।
କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ ‘ଏକ୍ସ’ରେ ଏ ନେଇ ଖୁସି ବ୍ୟକ୍ତ କରିବା ସହ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏବଂ ଭିଏଫଏସର ଗ୍ଲୋବାଲ ସିଇଓ ଜୁବିନ କର୍କାରିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ପଦକ୍ଷେପ ଦ୍ୱାରା ଓଡ଼ିଶାର ଛାତ୍ରଛାତ୍ରୀ ଏବଂ ବ୍ୟବସାୟୀମାନଙ୍କୁ ଆଉ ଭିସା କାମ ପାଇଁ କୋଲକାତା କିମ୍ବା ଅନ୍ୟ ସହରକୁ ଯିବାକୁ ପଡ଼ିବ ନାହିଁ । ଏହାଦ୍ୱାରା ସେମାନଙ୍କର ସମୟ, ଅର୍ଥ ଓ ପରିଶ୍ରମ ବଞ୍ଚିବା ସହ ସ୍ଥାନୀୟ ଯୁବକଯୁବତୀଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ । ଓଡ଼ିଶାର ଆନ୍ତର୍ଜାତୀୟ ସଂଯୋଗୀକରଣ କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ ହେବ ।
ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହି କେନ୍ଦ୍ରର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ଭିଏଫଏସ ଗ୍ଲୋବାଲ ପକ୍ଷରୁ ନିମନ୍ତ୍ରଣ କରାଯାଇଛି । ଏହି ପଦକ୍ଷେପ ଓଡ଼ିଶାର ଆନ୍ତର୍ଜାତୀୟ ସଂଯୋଗୀକରଣକୁ ଏକ ନୂତନ ଦିଗ ଦେବ ।