ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ନୂଆ ଦିଲ୍ଲୀକୁ ବର୍ତ୍ତମାନ ହାଇଆଲର୍ଟରେ ରଖାଯାଇଛି । ଆତଙ୍କବାଦୀ ହମଲା ନେଇ ଗୁଇନ୍ଦା ରିପୋର୍ଟ ମିଳିବା ପରେ ଦିଲ୍ଲୀର ସମସ୍ତ ସମ୍ବେଦନଶୀଳ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଲାଲକିଲ୍ଲାଠାରୁ ଆରମ୍ଭ କରି ଇଣ୍ଡିଆ ଗେଟ୍ ଯାଏ ପୋଲିସ ଛାଉଣି ହୋଇଯାଇଛନ୍ତି ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଦିଲ୍ଲୀରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ନେଇ ଗୁଇନ୍ଦା ବିଭାଗକୁ ସୂଚନା ମିଳିଛି । ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା ରାଜଧାନୀ ଦିଲ୍ଲୀରେ ଆଇଇଡି ବିସ୍ଫୋରଣ କରିବାର ବଡ଼ ଷଡ଼ଯନ୍ତ୍ର କରିଛି । ବିଶେଷକରି ଜନଗହଣଳି ପୂର୍ଣ୍ଣ ସ୍ଥାନ ଏବଂ ଧାର୍ମିକ ସ୍ଥଳକୁ ଟାର୍ଗେଟ୍ କରାଯାଇଛି । ପୁରୁଣା ଦିଲ୍ଲୀ ଚାନ୍ଦିନୀ ଚୌକ ନିକରେ ଥିବା ମନ୍ଦିରକୁ ଷଡ଼ଯନ୍ତ୍ରରେ ସାମିଲ କରାଯାଇଛି । ଫେବୃଆରୀ 6 ତାରିଖରେ ପାକିସ୍ତାନ ଇସ୍ଲାମାବାଦର ଏକ ମସଜିଦରେ ହୋଇଥିବା ବୋମା ବିସ୍ଫୋରଣ ପରେ ଲସ୍କର-ଏ-ତୋଏବା ଭାରତକୁ ଟାର୍ଗେଟ୍ କରିଥିବା ଜଣାପଡ଼ିଛି ।
ଆତଙ୍କବାଦୀ ଆକ୍ରମଣର ରିପୋର୍ଟ ହସ୍ତଗତ ହେବା ପରେ ସମ୍ପୂର୍ଣ୍ଣ ହାଇଆଲର୍ଟ ଜାରି କରାଯାଇଛି । ଚାନ୍ଦିନୀ ଚୌକରେ ଥିବା ବିଭିନ୍ନ ମନ୍ଦିର, ଲାଲକିଲ୍ଲା, ଇଣ୍ଡିଆ ଗେଟ୍ ଆଦି ସ୍ଥାନ ଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସନ୍ଦିଗ୍ଧଙ୍କ ଗତିବିଧି ଉପରେ ନଜର ରଖାଯାଇଛି । ଅତିରିକ୍ତ ସୁରକ୍ଷା ବଳ ନିୟୋଜିତ ହୋଇଯାଇଛି । ସମସ୍ତ ସ୍ଥାନରେ ଲାଗିଥିବା ସିସିଟିଭି ଉପରେ ମଧ୍ୟ ନଜର ରଖାଯାଇଛି ।
ସ୍ଥାନୀୟ ଲୋକ, ଦୋକାନୀ, ବ୍ୟବସାୟୀଙ୍କୁ ମଧ୍ୟ ସତର୍କ କରାଯାଇଛି । କୌଣସି ସନ୍ଦିଗ୍ଧଙ୍କ ଉପରେ ଟିକେ ମାତ୍ର ସନ୍ଦେହ ହେଲେ ତୁରନ୍ତ ପୋଲିସକୁ ସୂଚନା ଦେବାକୁ ପରାମର୍ଶ ଦିଆଯାଇଛି ।