ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ନୂଆ ଅତିଥି। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଗୁଜରାଟର ସୁରଟସ୍ଥିତ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଚିଡ଼ିଆଖାନା ମଧ୍ୟରେ ଜୀବଜନ୍ତୁ ଅଦଳବଦଳ କରାଯିବ । ଏନେଇ ନନ୍ଦନକାନନର ଦୁଇ ଜଣିଆ ଟିମ୍ ସୁରଟ ଯାତ୍ରା କରିଛନ୍ତି। ସେଠାକାର ଅଧିକାରୀଙ୍କ ସହ ଜୀବଜନ୍ତୁ ଧରି ଏହି ସପ୍ତାହରେ ନନ୍ଦନକାନନରେ ପହଞ୍ଚିବେ।
ଉଭୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ କଥାବାର୍ତ୍ତା ସହ କାଗଜପତ୍ର କାମ ମଧ୍ଯ ସରିଛି। ନିଷ୍ପତ୍ତି ଅନୁସାରେ ଗୁଜୁରାଟ ଚିଡ଼ିଆଖାନାରୁ ୪ ପ୍ରଜାତିର ୧୯ ଜୀବଜନ୍ତୁ ଆସୁଥିବା ବେଳେ ଏହାର ପ୍ରତିବଦଳରେ ନନ୍ଦନକାନନ ୫ ପ୍ରଜାତିର ୧୪ ଜୀବଜନ୍ତୁ ଦେଉଛି । ଆସୁଥିବା ଜୀବଜନ୍ତୁ ମଧ୍ୟରେ ଅଛନ୍ତି ୫ଟି (୩ଟି ଅଣ୍ଡିରା,୨ଟି ମାଈ) ପାଣି ଓଧ , ୨ଟି ଅଣ୍ଡିରା ଧୂସର ଗଧିଆ, ୧୦ଟି (୫ଟି ଅଣ୍ଡିରା, ୫ଟି ମାଈ) ଭାରତୀୟ ପଥର କଇଁଛ ଓ ୨ଟି (ଅଣ୍ଡିରା,ମାଈ) ରୁପେଲି କୁକୁଟ ଅଛନ୍ତି ।
ସେହିପରି ନନ୍ଦନକାନନରୁ ଯାଉଥିବା ୫ ପ୍ରଜାତିର ୧୪ ଜୀବଜନ୍ତୁ ମଧ୍ୟରେ ଦୁଇଟି (ଅଣ୍ଡିରା,ମାଈ) ମହାବଳ ବାଘ, ଦୁଇଟି ମାଈ ଧୂସର ଗଧିଆ, ୩ଟି (ଗୋଟିଏ ଅଣ୍ଡିରା,୨ଟି ମାଈ) ଚଉସିଂଙ୍ଗା,ଦୁଇଟି ମାଈ କୁଟୁରା ଓ ୫ଟି (୨ଟି ଅଣ୍ଡିରା,୩ଟି ମାଈ) ଭାରତୀୟ ବିଲୁଆ ଅଛନ୍ତି ।ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟା ସମ୍ପର୍କରେ ନନ୍ଦନକାନନ ଉପନିର୍ଦେଶକ ସନଥ କୁମାର ନାରାୟଣ କହିଛନ୍ତି ଯେ , ବିଲୁପ୍ତ ପ୍ରାୟ ଜୀବଜନ୍ତୁଙ୍କ ବଂଶବୃଦ୍ଧି ସହ ଏଠାରେ ରହୁଥିବା ଜୀବଜନ୍ତୁଙ୍କ ରକ୍ତ ସମ୍ପର୍କ ପରିବର୍ତ୍ତନ କରିବା ଆମର ଲକ୍ଷ୍ୟ । କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ ମଧ୍ୟ ଏନେଇ ମଞ୍ଜୁର ଦେଇସାରିଛନ୍ତି।