ଭୁବନେଶ୍ୱର : ରାଜ୍ୟରେ ନୂତନ ସରକାର ଆସିବା ପରଠାରୁ ୫୧ ଜଣ ବାଂଲାଦେଶୀ ଚିହ୍ନଟ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୪୯ ବାଂଲାଦେଶୀଙ୍କୁ ତଡ଼ି ପାର୍ କରାଯାଇସାରିଲାଣି । ଆଜି ଏ ନେଇ ଗୃହରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ବିଧାୟକ ମାନସ କୁମାର ଦତ୍ତ ସାରା ଓଡିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ ପ୍ରକ୍ରିୟାର ସ୍ଥିତାବସ୍ଥା କଣ, ଏଥି ପାଇଁ ଏସଓପି ଜାରି ହୋଇଛି କି ? କେଉଁ ଜିଲ୍ଲାରେ କେତେ ଅନୁପ୍ରବେଶକାରୀ ରହିଛନ୍ତି ସେ ନେଇ ସ୍ୱରାଷ୍ଟ୍ର ବିଭାଗକୁ ତଥ୍ୟ ମାଗିଥିଲେ । ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଲିଖିତ ଆକାରରେ ଉତ୍ତର ରଖିଛନ୍ତି । ନୂଆ ସରକାର ଆସିବା ପରେ ୫୧ ବାଂଲାଦେଶୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୯ ଜଣଙ୍କୁ ବଂଲାଦେଶ ପଠା ଯାଇ ସାରିଲାଣି । ଖୋର୍ଦ୍ଧାରୁ ସର୍ବାଧିକ ୨୪, କଟକରୁ ୧୫, ଗଞ୍ଜାମରୁ ୬, କନ୍ଧମାଳରୁ ୩ ଏବଂ କୋରାପୁଟରୁ ଜଣେ ବାଂଲାଦେଶୀ ଚିହ୍ନଟ ହୋଇଛନ୍ତି । ସେହିପରି ଆଉ ୨ ଜଣ ବାଂଲାଦେଶୀ ଜାଲ୍ ପାସ୍ପୋର୍ଟ କରି ଧରାପଡ଼ିଛନ୍ତି । ଧରାପଡ଼ିଥିବା ୨ ବାଂଲାଦେଶୀଙ୍କ ନାଁରେ ମାମଲା ରୁଜୁ ହୋଇଥିବା ମୁଖ୍ୟମନ୍ତ୍ରୀ ଉତ୍ତରରେ କହିଛନ୍ତି ।