ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ଏଡ଼ସ୍ ଦିବସ । ଏଡ଼ସ୍ ର ଭୟାବହତା ଏବଂ ନିରାକରଣ ପାଇଁ ଏହି ଦିବସ ପାଳନ କରାଯାଇଥାଏ । ୧୯୮୮ ମସିହାରୁ ଡିସେମ୍ବର ୧ ତାରିଖକୁ ଏଡ଼ସ୍ ଦିବସ ପାଳନ କରାଯାଇ ଆସୁଅଛି । ଏହି ଅବସରରେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ବିଶ୍ୱ ଏଡ଼ସ୍ ଦିବସ ପାଳନ କରାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପତାକା ଦେଖାଇ ସଚେତନା ଶୋଭାଯାତ୍ରାର ଶୁଭାରମ୍ଭ କରିଛନ୍ତି । ଏହି ଶୋଭାଯାତ୍ରା କ୍ୟାପିଟାଲ ହସ୍ପିଟାଲ ଠାରୁ ଶିଶୁ ଭବନ ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି ।
ଡାକ୍ତର ମହାଲିଙ୍ଗ କହିଛନ୍ତି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ମାନବ ସମାଜରୁ ଏଡ଼ସ୍ ରୋଗର ମୂଳୋତ୍ପାଟନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ରୋଗର ନିୟନ୍ତ୍ରଣ ପାଇଁ ଅଧିକରୁ ଅଧିକ ଜନ ସଚେତନତା ସୃଷ୍ଟି କରିବା ସହ ପୀଡ଼ିତ ରୋଗୀଙ୍କ ଆବଶ୍ୟକୀୟ ଚିକିତ୍ସା ସୁନିଶ୍ଚିତ କରିବା ନିମନ୍ତେ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି । ରାଜ୍ୟରେ ଯେମିତି ନୂଆ ରୋଗ ସୃଷ୍ଟି ହେବ ନାହିଁ ସେଥିପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି ।
ରାଜ୍ୟରେ ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ୨୪୬୨ ଏଚ୍ଆଇଭି ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୦୨୨-୨୩ ତୁଳନାରେ ଚଳିତବର୍ଷ ପଜିଟିଭ ହାର ହ୍ରାସ ପାଇଛି । ଚଳିତବର୍ଷ ୨୦ ଲକ୍ଷ ଟେଷ୍ଟ ଲକ୍ଷ୍ୟ ଓ ବର୍ତ୍ତମାନ ସୁଦ୍ଧା ୧୪ ଲକ୍ଷ ଟେଷ୍ଟ ସରିଛି । ମୁଖ୍ୟତଃ ମାଆ ଠାରୁ ଶିଶୁଙ୍କୁ ସଂକ୍ରମଣ ସଂଖ୍ୟା ଅଧିକ ରହିଛି । କଟକ, ଗଂଜାମ ଓ ନବରଙ୍ଗପୁରରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି । ବର୍ତ୍ତମାନ ସୁଦ୍ଧା ଗଞ୍ଜାମରେ ୩୩୮, କଟକରେ ୨୬୧, ନବରଙ୍ଗପୁରରେ ୭୦, ଖୋର୍ଦ୍ଧାରେ ୩୩୮, ସମ୍ବଲପୁରରେ ୧୯୫ ଓ ସୁନ୍ଦରଗଡ଼ରେ ୧୨୧ ଏଚଆଇଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଏହି ସଚେତନତା ରାଲିରେ କୋଟପାଡ଼ ବିଧାୟକ ରୁପୁ ଭତ୍ରା, ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଏବଂ କଣ୍ଟାବାଞ୍ଜି ବିଧାୟକ ଲକ୍ଷଣ ବାଗଙ୍କ ସମେତ ବିଭିନ୍ନ ସ୍କୁଲ ଓ କଲେଜର ଯୁବବର୍ଗ, ଛାତ୍ରଛାତ୍ରୀ ପ୍ରମୁଖ ସାମିଲ ହୋଇଥିଲେ।