ଭୁବନେଶ୍ୱର: ଆଗାମୀ ୪ଦିନ ଯାଏଁ ରାଜ୍ୟରେ ଥଣ୍ଡାର ପ୍ରକୋପ କମିବ। କିଛି ସ୍ଥାନରେ ରାତି ତାପମାତ୍ରା ବଢ଼ିବା ଯୋଗୁ ଶୀତ ଉଭାନ ହୋଇପାରେ। ମଙ୍ଗଳବାର ଓ ବୁଧବାର ଅଧିକାଂଶ ସ୍ଥାନର ରାତି ତାପମାତ୍ରା ୧୨ରୁ ୧୫ ଡିଗ୍ରୀ ଉପରେ ରହିବ। ଅଧିକ ଶୀତ ଅନୁଭୂତ ହେଉଥିବା କୋରାପୁଟ, ଫୁଲବାଣୀ, ଝାରସୁଗୁଡ଼ା ଓ ରାଉରକେଲାରେ ଥଣ୍ଡା ପ୍ରକୋପ ସାମାନ୍ୟ କମିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।
ଶନିବାର ରାତିରେ ରାଜ୍ୟର ଅଧିକାଂଶ ସ୍ଥାନର ରାତି ତାପମାତ୍ରା ୧୫ ଡିଗ୍ରୀ ଉପରେ ଥିଲା। କୌଣସି ଗୋଟିଏ ବି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳକୁ ଖସନଥିଲା । ଦାରିଙ୍ଗବାଡ଼ି ଓ ଜି ଉଦୟଗିରରେ ୧୦ଡିଗ୍ରୀ, ରାଉରକେଲାରେ ୧୦.୬, ଝାରସୁଗୁଡ଼ାରେ ୧୧.୩, ଫୁଲବାଣୀରେ ୧୨, କୋରାପୁଟରେ ୧୨.୫, କେନ୍ଦୁଝରରେ ୧୨.୬ ଡିଗ୍ରୀ ରହିଥିଲା। ଭୁବନେଶ୍ଵରରେ ୧୮.୧ ଡିଗ୍ରୀ ଓ କଟକରେ ୧୬.୨ ଡିଗ୍ରୀ ଥିଲା।
ଭୁବନେଶ୍ୱରରେ ସ୍ବାଭାବିକଠାରୁ ୧.୨ ଡିଗ୍ରୀ ଅଧିକ ରେକର୍ଡ ହୋଇଛି। ଝାରସୁଗୁଡ଼ାରେ ସ୍ବାଭାବିକଠାରୁ ୩ ଡିଗ୍ରୀ କମ୍ ରେକର୍ଡ ହୋଇଛି । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ତାମିଲନାଡୁ, ପଣ୍ଡିଚେରୀ ଉପକୂଳରେ ସୃଷ୍ଟି ହୋଇଥିବା ବାତ୍ୟା ‘ଡିଟୱା’ ଆଜି ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି।
ତେବେ ବାତ୍ୟା ଡିଟୱାର ସିଧା ସଳଖ ପ୍ରଭାବ ଓଡ଼ିଶା ଉପରେ ନାହିଁ। ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ମେଘୁଆ ପାଗ ସହ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାର ମାଲକାନଗିରି ଓ କୋରାପୁଟର କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ।