ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ରେ ଆସିଥିବା ପୂର୍ଣ୍ଣାଙ୍ଗ ବଜେଟର ୩୯ ପ୍ରତିଶତ ଖର୍ଚ୍ଚ ହୋଇଛି । ଗତ ବର୍ଷ ତୁଳନାରେ ଖର୍ଚ୍ଚର ପରିମାଣ ଅଧିକ ରହିଛି । ଚଳିତବର୍ଷ ଅକ୍ଟୋବର ସୁଦ୍ଧା ବଜେଟ୍ ୧ ଲକ୍ଷ ୧୪ ହଜାର ୫୧୮ କୋଟି ଖର୍ଚ୍ଚ ହୋଇଛି । ତେଣୁ ବଜେଟ୍ ଖର୍ଚ୍ଚକୁ ନେଇ ବିରୋଧୀ ଦଳଙ୍କର ରହିଥିବା ସନ୍ଦେହକୁ ଗୃହରେ ଦୂର କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ଆଳି ବିଜେଡ଼ି ବିଧାୟକ ପ୍ରତାପ କେଶରୀ ଦେବ ଚଳିତ ଆର୍ଥିକ ବର୍ଷର ବଜେଟରେ କେଉଁ ବିଭାଗ ପାଇଁ କେତେ ଅର୍ଥର ବ୍ୟୟ ଅଟ୍ଟକଳ କରାଯାଇଥିଲା ଓ ଏପର୍ଯ୍ୟନ୍ତ ବିଭାଗୱାରୀ କେତେ ଅର୍ଥ ବ୍ୟୟ କରାଯାଇଛି ତାହା ସମୁଦାୟ ବଜେଟ ଅର୍ଥର କେତେ ଶତାଂଶ, ଏ ସଂପର୍କରେ ବିଭାଗୱାରୀ ଖର୍ଚ୍ଚର ତାଲିକା ପ୍ରଦାନ କରିବାକୁ କହିଥିଲେ । ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ରଖି ସ୍ପଷ୍ଟ କରିଥିଲେ ଯେ ଗତ ବର୍ଷ ତୁଳନାରେ ବଜେଟ୍ ଖର୍ଚ୍ଚର ପରିମାଣ ବୃଦ୍ଧି ପାଇଛି । ଅକ୍ଟୋବର ଶେଷ ସୁଦ୍ଧା ବଜେଟର ୩୯ ପ୍ରତିଶତ ଅର୍ଥାତ୍ ଖର୍ଚ୍ଚ ୧ ଲକ୍ଷ ୧୪ ହଜାର ୫୧୮ କୋଟି ଟଙ୍କା ବ୍ୟୟ ହୋଇଛି । ଗତବର୍ଷ ଅକ୍ଟୋବର ସୁଦ୍ଧା ୩୬ ପ୍ରତିଶତ ଅର୍ଥାତ୍ ୧ ଲକ୍ଷ ୩ ହଜାର ୬୩୬ କୋଟି ଟଙ୍କା ବ୍ୟୟ ହୋଇଥିଲା । ତେଣୁ ଦୁଇ ବର୍ଷର ତୁଳନାରେ ୧୦ ହଜାର ୮୮୨ କୋଟି ଟଙ୍କା ଅଧିକ ଖର୍ଚ୍ଚ ହୋଇଛି । ଆହୁରି ୪ ମାସ ଅଛି, ମାର୍ଚ୍ଚ ସୁଦ୍ଧା ବଜେଟ ଶତ ପ୍ରତିଶତ ଖର୍ଚ୍ଚ କରାଯିବ ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି । ଯେଉଁ ବିଭାଗରେ ଖର୍ଚ୍ଚ କମ ହୋଇଛି ସେସବୁ ବିଭାଗର ସମୀକ୍ଷା କରାଯିବ । ଗତ ବର୍ଷ ଯେଉଁଭଳି ଭାବରେ ବଜେଟ ସଦୁପଯୋଗ ହୋଇଥିଲା ଚଳିତ ବର୍ଷ ମଧ୍ୟ ସମାନ ଢଙ୍ଗରେ କରାଯିବ ବୋଲି ଗୃହକୁ ଆଶ୍ୱାସନା ଦେଇଛନ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ହରିଚନ୍ଦନ ।