ନୂଆଦିଲ୍ଲୀ: କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ମୁସ୍କିଲ ବଢିବାକୁ ଯାଉଛି । କେଆଇଆଇଏଫବି ଓ ବଡ ଅଧିକାରୀଙ୍କ ଉପରେ ଫେମାର ଉଲ୍ଲଂଘନ ହୋଇଥିବା ନେଇ ନୋଟିସ ଜାରି ହୋଇଛି । ଉଲ୍ଲେଖନୀୟ କେଆଇଆଇଏଫବିର ଚେୟାରମ୍ୟାନ ହେଉଛନ୍ତି ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚଳିତ ବର୍ଷ ନଭେମ୍ବର ୧୨ରେ କେରଳ ଇନଫ୍ରାଷ୍ଟ୍ରକର ଇନଭେଷ୍ଟମେଣ୍ଟ ଫଣ୍ଡ ବୋର୍ଡ(କେଆଇଆଇଏଫବି) ଏବଂ ଏହାର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଫରେନ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ(ଫେମା) ଉଲ୍ଲଂଘନ ମାମଲାରେ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି । ପ୍ରାୟ ୪୬୬.୯୧ କୋଟି ଟଙ୍କାର ଗଡବଡ ନେଇ ନୋଟିସରେ ପ୍ରଶ୍ନ କରିଛି ଇଡି ।
ଇଡି କେଆଇଆଇଏଫବି, କେଆଇଆଇଏଫବିର ସିଇଓ କେଏମ ଆବ୍ରାହମ, କେଆଇଆଇଏଫବିର ଅଧ୍ୟକ୍ଷ ପିନାରାଇ ବିଜୟନ ଓ ଉପାଧ୍ୟକ୍ଷ ଟିଏସ ଥମାସ ଇସାକଙ୍କ ପାଇଁ ଏହି ନୋଟିସ୍ ଜାରି କରିଛି ।
ମାମଲା କଣ ?
ସୂଚନା ଅନୁଯାୟୀ, କେଆଇଆଇଏଫବି ଲଣ୍ଡନ ଓ ସିଙ୍ଗାପୁର ଷ୍ଟକ ଏକ୍ସଚେଞ୍ଜରେ ଆକର୍ଷଣୀୟ ବଣ୍ଡ ଜାରି କରି ୨୬୭୨.୮୦ କୋଟି ଟଙ୍କା ସଂଗ୍ରହ କରିଥିଲେ । ଏହି ଅର୍ଥ ଇସିବି(ବାହ୍ୟ ବାଣିଜ୍ୟିକ ଋଣ) ଆଧାରରେ ନିଆଯାଇଥିଲା । ଇଡି ଅଭିଯୋଗ କରିଛି ଯେ, ଏହି ଫଣ୍ଡରୁ ୪୬୬.୯୧ କୋଟି ଟଙ୍କା ଜମି କିଣାରେ ଖର୍ଚ୍ଚ କରାଯାଇଛି । ଏହା ସିଧାସଳଖ ଆରବିଆଇର ମାଷ୍ଟର ଡିରେକ୍ସନ ୨୦୧୬, ସର୍କୁଲାର ୨୦୧୫ ଓ ୨୦୧୮ ଜୁନ ୧ର ନିର୍ଦ୍ଦେଶର ଉଲ୍ଲଂଘନ କରୁଛି ।
ଇଡି ଫେମା ଆଧାରରେ ୨୦୨୫ ଜୁନ ୨୭ରେ କେସ୍ ରୁଜୁ କରିଥିଲା । ଏହି ମାମଲାରେ ଏଜେନ୍ସି ନଭେମ୍ବର ୧୨ରେ ନୋଟିସ୍ ଜାରି କରିଛି । ନିକଟରେ କଂଗ୍ରେସର ସାଧାରଣ ସଂପାଦକ କେସ ବେଣୁଗୋପାଳ କହିଥିଲେ ଯେ, କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କେନ୍ଦ୍ର ସରକାରଙ୍କ ଗୁପ୍ତ ଏଜେଣ୍ଟ ।
Also read: ସଂସଦର ଶୀତକାଳୀନ ଅଧିବେଶନ: ଯେଉଁମାନେ ଡ୍ରାମା କରିବାକୁ ଚାହୁଁଛନ୍ତି, ତାକୁ କରିବାକୁ ଦିଅନ୍ତୁ...