ସୁନ୍ଦରଗଡ଼: ମାଓବାଦୀଙ୍କ ବଡ଼ ଧରଣର ଷଡ଼ଯନ୍ତ୍ରକୁ ପଣ୍ଡ କରିଛନ୍ତି ସୁରକ୍ଷାବାହିନୀ । ସୁନ୍ଦରଗଡ଼ ସୀମାନ୍ତ ଝାଡ଼ଖଣ୍ଡ ରାଜ୍ୟର ସରଣ୍ଡା ଜଙ୍ଗଲରୁ ୧୮ ହଜାର ଡେଟୋନେଟର ଜବତ ହୋଇଛି । ସିପିଆଇ ମାଓବାଦୀ ସଂଗଠନ ଏହାକୁ ଲୁଚାଇ ରଖିଥିଲା ବୋଲି ଜଣାପଡ଼ିଛି ।
ଝାଡ଼ଖଣ୍ଡର ଟଣ୍ଟୋ ଥାନା ହୁସିପି ଗ୍ରାମ ଜଙ୍ଗଲ ଓ ପାହାଡ଼ରେ ମାଓବାଦୀମାନେ ଡେଟୋନେଟର୍ ଲୁଚାଇ ରଖିଥିଲେ । ଚାଇଁବସା ଏସ୍ପି ରାକେଶ ରଞ୍ଜନ ଗୁଇନ୍ଦା ସୂଚନା ଆଧାରରେ ତଲାସୀ ଅଭିଯାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସୁରକ୍ଷାବାହିନୀ ସର୍ଚ୍ଚ ଅପରେସନ କରି ବିପୁଳ ଡେଟୋନେଟର୍ ଜବତ କରିଛନ୍ତି । ସମସ୍ତ ଡେଟୋନେଟରକୁ ନିଷ୍କ୍ରିୟ କରାଯାଇଛି ।
ମାଓ ନେତା ମିସିର ବେସରା, ମୋଚୁ, ଅନମୋଲ, ଅଜୟ ମାହାତୋ, ଅନଲ, ଅସୀମ ମଣ୍ଡଳ, ଅଶ୍ୱିନ, ସାଗେନ ଅଙ୍ଗାରିଆ, ଚନ୍ଦନ ଲୋହାରା, ପିଣ୍ଟୁ ଲୋହାରା, ଅମିତ ହାଁସଦା, ଜୟକାନ୍ତ ଓ ରାପା ମୁଣ୍ଡା ଉକ୍ତ ଅଞ୍ଚଳରେ ସକ୍ରିୟ ଥିବା ଜଣାପଡ଼ିଛି । ଆଖପାଖ ଅଞ୍ଚଳରେ ମାଓବାଦୀ ଥିବା ସନ୍ଦେହରେ ସୁରକ୍ଷାବାହିନୀ ତଲାସୀ ଅଭିଯାନ ଜାରି ରଖିଛି ।