ଭୁବନେଶ୍ୱର: ଆଜି ରାଜ୍ୟ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ ସ୍ୱତନ୍ତ୍ର ଅଦାଲତ ଭିନ୍ନଭିନ୍ନ ମାମଲାରେ ବିଭିନ୍ନ ସ୍ଥାନରେ ୧୪ ଜଣଙ୍କୁ ସଜା ଶୁଣାଇଛନ୍ତି । ଯେଉଁଥିରେ ୫ ଜଣ ସରପଞ୍ଚ, ଆଇଟିଡିଏର ୨ ଜଣ ଏଇ, ଜଣେ ଆକାଉଣ୍ଟାଣ୍ଟ, ଜଣେ କର ଆଦାୟକାରୀ ଏବଂ ଅନ୍ୟ ୫ ଜଣ ରହିଛନ୍ତି । ଆୟ ବର୍ହିଭୂତ ସମ୍ପତିଠୁଳ ଏବଂ ସରକାରୀ ଅର୍ଥ ଆତ୍ମସାତ କରିବା ଅଭିଯୋଗରେ ଜେଲ ଯାଇଛନ୍ତି ସମସ୍ତ ଅଧିକାରୀ ।
ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକର ୫ ଜଣ ସରପଞ୍ଚ ଏବଂ ଜଣେ ବିଦ୍ୟୁତ ଯୋଗାଣକାରୀଙ୍କୁ ଜେଲ ଦଣ୍ଡ ସହିତ ଆର୍ଥିକ ଦଣ୍ଡରେ ଦଣ୍ଡିତ କରାଯାଇଛି । ସେମାନେ ହେଲେ ଖଲାଡ଼ି ଗ୍ରା.ପର ପୂର୍ବତନ ସରପଞ୍ଚ ସୀତା ବାସ୍କି, ସିଦାମଚନ୍ଦ୍ରପୁର ଗ୍ରା.ପର ପୂର୍ବତନ ସରପଞ୍ଚ ମହାଦେବ ଟୁଡୁ, ରାଢ଼ୋ ଗ୍ରା.ପ.ର ପୂର୍ବତନ ସରପଞ୍ଚ ବାସେନ ମାରାଣ୍ଡି, ବଡ଼ସିଙ୍ଗାରିଆ ଗ୍ରା.ପ.ର ପୂର୍ବତନ ସରପଞ୍ଚ ଜତିନ୍ଦ୍ର ସିଂହ ଓ କୁଣ୍ଡାବାଇର ଗ୍ରା.ପ.ର ପୂର୍ବତନ ସରପଞ୍ଚ ବୁଦ୍ଧିରାମ ସିଂହ ଏବଂ ବାରିପଦାର ସପ୍ଲାଏର୍ ସଞ୍ଜୟ କୁମାର ଦାସ ।
ସେହିପରି କଟକ ମ୍ୟୁନିସିପାଲ କର୍ପୋରେସନର ଅବସରପ୍ରାପ୍ତ ମୋହରି ତଥା କର ଆଦାୟକାରୀ ଉସମାନ ଖାନ, ଅନୁଗୁଳ ଡିଆରଡିଏ ତଥା ଡୁଡାରୁ ବହିଷ୍କୃତ ସିଏଲଟିସି ଶ୍ରୀକାନ୍ତ ମହାପାତ୍ର, କେନ୍ଦୁଝର ଜିଲ୍ଲା ଚମ୍ପୁଆ ଆଇଟିଡିଏର ଅବସରପ୍ରାପ୍ତ ଇଞ୍ଜିନିୟର ଶିବାନନ୍ଦ ପଟ୍ଟନାୟକ, ଆଇଟିଡିଏ କନିଷ୍ଠ ଯନ୍ତ୍ରୀ ଶକ୍ତି ରଞ୍ଜନ ସିଂହସାମନ୍ତ ଏବଂ କଟକ ଜଗତପୁର ମହାନଦୀ ନର୍ଥ ଡିଭିଜନର ଚତୁର୍ଭୁଜ ବେହେରାଙ୍କୁ ଭିଜିଲାନ୍ସ କୋର୍ଟ ୪ ବର୍ଷ ଲେଖାଏଁ ଜେଲ ଦଣ୍ଡ ସହିତ ଆର୍ଥିକ ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି ।
ଅନ୍ୟପକ୍ଷରେ ସୁନ୍ଦରଗଡ଼ର ଅବସରପ୍ରାପ୍ତ ବନ ବିଭାଗ ଅଧିକାରୀ ହେମନ୍ତ କୁମାର ମିଶ୍ରଙ୍କୁ ୩ ବର୍ଷ କାରାଦଣ୍ଡ ସହିତ ଏକ ଲକ୍ଷ ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି ଭିଜିଲାନ୍ସର ସ୍ୱତନ୍ତ୍ର ଅଦାଲତ ।
ଗଞ୍ଜାମ ଜଗନ୍ନାଥପୁର ମାର୍କଫେଡ୍ ପୂ. ଏରିଆ ମ୍ୟାନେଜର ଭୁବନ ମୋହନ ଦାଶ ଏବଂ ଅବଦୁଲ ଅତଉଲ୍ଲାହଙ୍କ ମଧ୍ୟ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି ।