ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର କଂଗ୍ରେସ ବିକ୍ଷୋଭବେଳେ ତୁମୁଳ କାଣ୍ଡ ହୋଇଛି । ଆନ୍ଦୋଳନକାରୀଙ୍କ ଦ୍ୱାରା ଅଣ୍ଡା, ଟମାଟୋ, ଢେଲା ପଥର ମାଡ଼ ସହିତ ଚେୟାର ଫିଙ୍ଗିଛନ୍ତି । ଏଥିରେ ୧୨ ଜଣ ପୋଲିସ କର୍ମୀ ଆହତ ହୋଇଥିବା ନେଇ ଭୁବନେଶ୍ୱର ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି । ତେବେ ଯେଉଁମାନେ ଏଥିରେ ସମ୍ପୃକ୍ତିଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ଚେତାବନୀ ଦେଇଛନ୍ତି ଡିସିପି ।
ନାରୀ ନିର୍ଯ୍ୟାତନାକୁ ପ୍ରସଙ୍ଗ କରି କଂଗ୍ରେସ ଗୁରୁବାର ବିଧାନସଭା ଘେରାଉ ଡାକରା ଦେଇଥିଲା । ରାମ ମନ୍ଦିର ଛକରୁ ଶୋଭାଯାତ୍ରା ବାହାରି ବିଧାନସଭା ଅଭିମୁଖେ ବଢ଼ିଥିଲା । ଲୋୟର୍ ପିଏମଜିରେ ଆନ୍ଦୋଳନକାରୀମାନେ ସଭା ସ୍ଥଳକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ଅଟକାଇବାକୁ ଚେଷ୍ଟା କରିଥିଲା । ଏହି ସମୟରେ ରଣ କ୍ଷେତ୍ର ପାଲଟିଥିଲା ଗାନ୍ଧୀ ମାର୍ଗ । ସ୍ଥିତି ଅଣାୟତ ହେବାରୁ ପୋଲିସ ବାଧ୍ୟ ହୋଇ ପାଣି ଏବଂ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିଲା । କିନ୍ତୁ ବିକ୍ଷୋଭକାରୀ ଅଣ୍ଡା, ଟମାଟୋ, ଢେଲା ମାଡ଼ କରିଥିଲେ । ଏମିତିକି ସଭାରେ ଥିବା ଚେୟାର ପିଙ୍ଗିବା ଆରମ୍ଭ କରିଥିଲେ । ଏଥିରେ ୧୨ ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି । ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏହା ସହିତ ଗୋଟିଏ ପୋଲିସ ଗାଡ଼ିକୁ ଆକ୍ରମଣ କରାଯାଉଥିବାବେଳେ ଡ୍ରାଇଭର ଅଟକାଇ ଦେଇଥିଲେ । ପୋଲିସ ଗାଡ଼ି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି । ଏଥିରେ ଯେଉଁମାନେ ସମ୍ପୃକ୍ତି ଅଛନ୍ତି ସିସିଟିଭି ଫୁଟେଜ୍ ଆଧାରରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ଡିସିପି ମୀନା କହିଛନ୍ତି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ଡିସିପି କହିଛନ୍ତି ।
ଅଧିକ ପଢ଼ନ୍ତୁ-ହିଂସା ଆପଣାଇଲା କଂଗ୍ରେସ, ଅଣ୍ଡା ମାଡ଼ ସହ ଚେୟାର ଫିଙ୍ଗିଲେ ଆନ୍ଦୋଳନକାରୀ, ତୁଙ୍ଗ ନେତା ଗିରଫ
ଅନ୍ୟପକ୍ଷରେ ରାଜ୍ୟର ପ୍ରତିଷ୍ଠିତ ଗଣମାଧ୍ୟମର ଜଣେ ପ୍ରତିନିଧି ଖବର ସଂଗ୍ରହ କରୁଥିବାବେଳେ ତାଙ୍କ ମୁଣ୍ଡରେ ଚେୟାର ବାଜିଥିବା ଜଣାପଡ଼ିଛି । ଆହତ ଗଣମାଧ୍ୟମ ପ୍ରତିନିଧି ହେଲେ ପ୍ରଭାତ ବିଷୋୟୀ । ତାଙ୍କ ମୁଣ୍ଡରୁ ରକ୍ତସ୍ରାବ ହୋଇଛି । ତାଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।