ଭୁୁବନେଶ୍ୱର: ଏପ୍ରିଲ ୧ ଓଡ଼ିଶା ଦିବସରୁ ମହାବିଷୁବ ସଂକ୍ରାନ୍ତି ଏପ୍ରିଲ ୧୪ ଯାଏଁ ରାଜ୍ୟରେ ପାଳନ ହେବ ଓଡ଼ିଆ ପକ୍ଷ ଦିବସ। ଓଡ଼ିଆ ପକ୍ଷରେ ହେବାକୁ ଥିବା କାର୍ୟ୍ୟକ୍ରମରେ ସାମିଲ ହେବେ ସରକାରଙ୍କ ବିଭିନ୍ନ ବିଭାଗ। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ରବିବାର ଏହାର ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଓଡ଼ିଶାର ଭାଷା, ସାହିତ୍ୟ, କଳା, ସଂସ୍କୃତି, ଇତିହାସ, ଐତିହ୍ୟ, ନୃତ୍ୟ, ସଂଗୀତ, ପରମ୍ପରା ଆଦି ହେଉଛି ସମୃଦ୍ଧ ଏବଂ ଏହାକୁ ନେଇ ଆମେ ଗର୍ବିତ। ଳିତ ବର୍ଷ ପ୍ରଥମ ଥର ପାଇଁ ଅପ୍ରେଲ ୧ ତାରିଖ ଓଡ଼ିଶା ଦିବସ ଠାରୁ ୧୪ ଅପ୍ରେଲ ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ପର୍ୟ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରିବା ନିମନ୍ତେ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆ ଯାଇଛି। ଦୀର୍ଘ ୧୪ ଦିନ ଧରି ରାଜ୍ୟବ୍ୟାପୀ ବିଭିନ୍ନ କାର୍ୟ୍ୟକ୍ରମ (ରାଜ୍ୟ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ କାର୍ୟ୍ୟକ୍ରମ) ଆୟୋଜନ କରାଯିବ ।
ଏପ୍ରିଲ ୧ରେ ସମସ୍ତ ଜିଲ୍ଲାରେ ଧୁମଧାମରେ ପାଳନ ହେବ ଓଡ଼ିଶା ଦିବସ।୨ ତାରିଖରେ ଖଡ଼ିଛୁଆଁ ଦିବସ, ୩ରେ ଆମ ପୋଷାକ ଆମ ନାମ ପାଳନ ହେବ ।୪ରେ ଓଡିଆ ନାମ ଫଳକ ଅଭିଯାନ ସଚେତନତା ପଦଯାତ୍ର. ୫ରେ ଭୁବନେଶ୍ବରରେ ଐତିହ୍ୟ ଗଣଦୌଡ଼, ୬ରେ ଦେବାଳୟ ଓ ଐତିହ୍ୟ ସ୍ଥଳିଗୁଡିକର ସ୍ୱଚ୍ଛତା ଅଭିଯାନ ଚଲାଯିବ ।
ସେହିପରି ୭ରେ ବର୍ଣ୍ଣବୋଧ ଉତ୍ସବ, ୮ରେ ରକ୍ତଦାନ ଦିବସ, ୯ରେ ଆସ ବହିଟିଏ କିଣିବା ଦିବସ, ୧୦ରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ମାଧ୍ୟମରେ ବରିଷ୍ଠ କଳାକାରଙ୍କୁ ସମ୍ବର୍ଦ୍ଧନା ଓ ଲୋକ କଳାଗ୍ରାମ ପ୍ରଦର୍ଶନ ହେବ।ସେହିପରି ୧୧ ତାରିଖରେ ଯୁବ ଲେଖକ ସମ୍ମୀଳନୀ, ୧୨ ରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଶାର ବରପୁତ୍ରଙ୍କ ସଂପର୍କରେ ରାଜ୍ୟରେ ଆଲୋଚନାଚକ୍ର ହେବ। ଏପ୍ରିଲ ୧୩ରେ ପାରମ୍ପରିକ ଖାଦ୍ୟ ଦିବସ ପାଳନ। ଏବଂ ୧୪ରେ ଓଡ଼ିଆ ନବବର୍ଷ ପାଳିତ ହେବ।
ଏହି ଅବସରରେ ବିଭିନ୍ନ ସ୍ଥାନରେ ହୁଳୁହୁଳି, ଝୋଟି, ଚିତା, ମୁରୁଜ, ପିଠାପଣା ପ୍ରତିଯୋଗିତା କରାଯିବ।ଏଥିପାଇଁ ଜନସାଧାରଣଙ୍କ ସହଯୋଗ ଲୋଡିଛନ୍ତି ସଂସ୍କୃତି ମନ୍ତ୍ରୀ ।