ଭବାନୀପାଟଣା: ଆଜି ଭବାନୀପାଟଣାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସହରର କ୍ରିଷ୍ଣାନଗର ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ, କଳାହାଣ୍ଡି ସାଂସଦ ମାଳବିକା ଦେବୀ ପ୍ରମୁଖ ଉପସ୍ଥିତ ଥିଲେ । ମୋହନ ସରକାର ବଜେଟ୍ରେ ଅନ୍ତ୍ୟୋଦୟ ଯୋଜନା ଲାଗି ୭୭୫୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ।
ଏହି ଯୋଜନାରେ ରାଜ୍ୟ ସରକାର ୫୦ ହଜାର ଲୋକଙ୍କୁ ଯୋଡିବେ । ଭିନ୍ନକ୍ଷମ, ବିଧବା, ଦୂରାରୋଗରେ ପୀଡିତ ବ୍ୟକ୍ତି, ସହିଦଙ୍କ ପରିବାର, ପଦ୍ମଶ୍ରୀ ପରିବାରର ବ୍ୟକ୍ତି, ବନ୍ୟା ବାତ୍ୟା ଓ ଅଗ୍ନିକାଣ୍ଡରେ ଜଳି ଯାଇଥିବା ଘରର ବ୍ୟକ୍ତିଙ୍କୁ ଏହି ଯୋଜନାରେ ସାମିଲ ହେବେ । ଅନଲାଇନ ଜରିଆରେ ଲୋକେ ଘର ପାଇଁ ଆବେଦନ କରିବେ । ତେବେ ଯେଉଁମାନେ ଏହି ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ ହେବାକୁ ଚାଁହୁଥିବେ ସେମାନେ ଉଭୟ ଅଫଲାଇନ ଏବଂ ଅନଲାଇନରେ ଆବେଦନ କରିପାରିବେ। ତେବେ ଅନଲାଇନ ପାଇଁ ୱେବ ପୋର୍ଟାଲ ମାଧ୍ୟମରେ ପଞ୍ଚାୟତ କାର୍ଯ୍ୟାଳୟରେ ବିଡ଼ିଓଙ୍କ ମାଧ୍ୟମରେ ଆବଦନ କରିହେବ।
ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରକୁ ପକ୍କା ଘର ଯୋଗାଇବାକୁ ଅନ୍ତ୍ୟୋଦୟ ଗୃହ ଯୋଜନା' ରାଜ୍ୟ ସରକାରଙ୍କ ଏକ ମହତ୍ବ ଯୋଜନା । ଏହା ଅଧିନରେ ଆସନ୍ତା ୩ ବର୍ଷରେ ଅତି କମ୍ରେ ୨ ଲକ୍ଷ ୨୫ ହଜାର ନୂତନ ପକ୍କା ଘର ମଞ୍ଜୁର କରାଯିବ । ୨୦୨୫-୨୬ରେ ୭୫ ହଜାର ଗୃହ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଚଳିତ ବଜେଟ୍ରେ ଏଥିପାଇଁ ୨ ହଜାର ୬୦୩ କୋଟି ବ୍ୟୟ ବରାଦ ହୋଇଛି ।