ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଉତ୍କଳ ଦିବସ । ବିରପୁତ୍ର ନୂତନ ଓଡ଼ିଶା ର ସ୍ବପ୍ନ ଦେଖିଥିଲେ । ଏହି ସ୍ବପ୍ନକୁ ସାକାର କରିବା ପାଇଁ ଓଡ଼ିଶା ମାଟିର ଗର୍ବିତ ଓଡ଼ିଆ ପୁଅ ବ୍ୟାସ କବି ଫକିର ମୋହନ ସେନାପତି, ଉତ୍କଳ ମଣି ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ଉତ୍କଳ ଗୌରବ ମଧୁସୁଦନ ଦାସ, ନିଜ ଜୀବନକୁ ମାଟି ମାର କୋଳରେ ଉତ୍ସର୍ଗୀକୃତ କରି ୧୯୦୩ରେ ଉତ୍କଳ ସମ୍ମିଳନୀ ଗଠନ କରିଥିଲେ ଏବଂ ବହୁ ଘାତ ପ୍ରତିଘାତ ଅତିକ୍ରମ କରି ୧୯୩୬ ଏପ୍ରିଲ ୧ ତାରିଖରେ ଏକ ସ୍ବତନ୍ତ୍ର ପ୍ରଦେଶ ଭାବେ ମାନ୍ୟତା ପାଇବା ସହ ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ମାନ୍ୟତା ଗ୍ରହଣ କରିଥିଲା ଯାହାକୁ ଆମେ ପ୍ରତିବର୍ଷ ଏପ୍ରିଲ ୧ ତାରିଖକୁ ଉତ୍କଳ ଦିବସ ରୂପେ ପାଳନ କରିଆସୁଛୁ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାବାସୀଙ୍କୁ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ସୋସିଆଲ ମିଡ଼ିଆରେ ସେ କହିଛନ୍ତି ଯେ, " ଏହି ଦିବସ ଓଡ଼ିଶାର ସମୃଦ୍ଧ ସଂସ୍କୃତି ପ୍ରତି ଏକ ଉପଯୁକ୍ତ ସମ୍ମାନ । ଓଡ଼ିଶାର ଇତିହାସ, ସାହିତ୍ୟ ଓ ସଂଗୀତକୁ ନେଇ ଭାରତ ଗର୍ବିତ। ଓଡ଼ିଶାର ଲୋକମାନେ କଠିନ ପରିଶ୍ରମୀ ଏବଂ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ହାସଲ କରିଛନ୍ତି । ଗତ ଏକ ବର୍ଷ ଧରି କେନ୍ଦ୍ର ଏବଂ ଓଡ଼ିଶା ସରକାର ରାଜ୍ୟର ଆହୁରି ପ୍ରଗତି ପାଇଁ ବ୍ୟାପକ ଭାବେ କାର୍ଯ୍ୟ କରୁଛନ୍ତି । "
ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, "ଓଡ଼ିଶା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ନିଜର ଅସୀମ ତ୍ୟାଗ ତଥା ଆମ ଭାଷା, ସାହିତ୍ୟ ଓ ସଂସ୍କୃତିର ଗୌରବ ବୃଦ୍ଧି କରିଥିବା ମହାପୁରୁଷମାନଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି। ଆଜିର ଦିନରେ ଆସନ୍ତୁ ଏକ ସୁସ୍ଥ ଓ ବିକଶିତ ଓଡ଼ିଶା ଗଠନ କରିବାର ସଂକଳ୍ପକୁ ଆହୁରି ଦୃଢ଼ କରିବା।"