ଭୁବନେଶ୍ୱର: ନିଜ କଥାରେ ଅଟକି ରହି ପାରିଲା ନାହିଁ ରାଜ୍ୟ କଂଗ୍ରେସ । ଅଣ୍ଡା, ଟମାଟୋ, ଟେକା, ପଥର ଏବଂ ଚେୟାର ମାଡ଼ କରିଛନ୍ତି ଆନ୍ଦୋଳନକାରୀ । ଶେଷରେ ରଣକ୍ଷେତ୍ରରେ ପରିଣତ ହୋଇଛି ରାଜଧାନୀ ରାଜରାସ୍ତା । ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ କରିବାକୁ ପୋଲିସ ପାଣି ଏବଂ ଲୁହ ବୁହା ଗ୍ୟାସ ପ୍ରୟୋଗ କରିବା ସହିତ କଂଗ୍ରେସ ବହୁ ବରିଷ୍ଠ ନେତା ପିସିସି ସଭାପତି ଭକ୍ତ ଚରଣ ଦାସ, ପ୍ରଭାରୀ ଅଜୟ କୁମାର ଲଲୁ, ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ଏବଂ ତାରା ବାହିନୀପତିଙ୍କ ସମେତ ଅନେକ ତୁଙ୍ଗ ନେତାଙ୍କୁ ପୋଲିସ ଗିରଫ କରିଛି ।
ଅଣ୍ଡା, ଟମାଟୋ, ଚେୟାର ମାଡ଼
ନାରୀ ନିର୍ଯ୍ୟାତନାକୁ ପ୍ରସଙ୍ଗ କରି କଂଗ୍ରେସ ଗୁରୁବାର ବିଧାନସଭା ଘେରାଉ ଡାକରା ଦେଇଥିଲା । ସାରା ରାଜ୍ୟରୁ ହଜାର ହଜାର ସଂଖ୍ୟାରେ କର୍ମୀମାନେ ରାଜଧାନୀରେ ଏକତ୍ରିତ ହୋଇଥିଲେ । ରାମ ମନ୍ଦିର ଛକରୁ ଶୋଭାଯାତ୍ରା ବାହାରି ବିଧାନସଭା ଅଭିମୁଖେ ବଢ଼ିଥିଲା । ଅନ୍ୟପକ୍ଷରେ କୌଣସି ଅପ୍ରୀତିକର ପରିସ୍ଥିତକୁ ଏଡ଼ାଇବାକୁ ପୋଲିସ ବ୍ୟାପକ ପ୍ରସ୍ତୁତି କରିଥିଲା । ସହରରେ ୮୦ ପ୍ଲାର୍ଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଲୋୟର୍ ପିଏମଜିରେ ଚାରି ଥାକିଆ ବ୍ୟାରିକେଡ୍ କରିଥିଲା ପୋଲିସ । ସେପଟେ ଲୋୟର୍ ପିଏମଜିରେ ଆନ୍ଦୋଳନକାରୀମାନେ ସଭା ସ୍ଥଳକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ଅଟକାଇବାକୁ ଚେଷ୍ଟା କରିଥିଲା । ବିକ୍ଷୋଭକାରୀ ବ୍ୟାରିକେଡ୍ ଭାଙ୍ଗିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ସହ ଖଣ୍ଡ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା । ଶାନ୍ତି ଶୃଙ୍ଖଳା ବିକ୍ଷୋଭର ନାରା ଦେଇଥିବା କଂଗ୍ରେସ ନିଜର ଚିରାଚରିତ ଢଙ୍ଗକୁ ଚାଲି ଆସିଥିଲା । ପୂର୍ବ ପ୍ରସ୍ତୁତି ସହିତ ଆସିଥିବା ବିକ୍ଷୋଭକାରୀ ଅଣ୍ଡା, ଟମାଟୋ, ଢେଲା ମାଡ଼ କରିଥିଲେ । ଏମିତିକି ସଭାରେ ଥିବା ଚେୟାର ପିଙ୍ଗିବା ଆରମ୍ଭ କରିଥିଲେ । ସ୍ଥିତି ଅଣାୟତ ହେବାରୁ ପୋଲିସ ବାଧ୍ୟ ହୋଇ ପାଣି ଏବଂ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିଲା । ଏହା ପରେ ସ୍ଥିତି ଅଣାୟତ୍ତ ହୋଇଥିଲା । କଂଗ୍ରେସ କର୍ମୀମାନେ ପୋଲିସ ସହିତ ଧସ୍ତାଧସ୍ତି କରିଥଇଲେ । ଏହା ପରେ ପୋଲିସ ସ୍ଥିତିକୁ ଆୟତ୍ତକୁ ଆଣିବାକୁ ବାଧ୍ୟ ହୋଇ ଲାଠି ଚାର୍ଜ କରିଥିଲା । ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ।
କଂଗ୍ରେସ ନେତା ଗିରଫ
ସେପଟେ ପୋଲିସ କଂଗ୍ରେସ ଅନେକ ତୁଙ୍ଗ ନେତାଙ୍କୁ ଉଠାଇ ନେଇଥିଲା । ପିସିସି ସଭାପତି ଭକ୍ତ ଚରଣ ଦାସ, ପ୍ରଭାରୀ ଅଜୟ କୁମାର ଲଲୁ, ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ଏବଂ ତାରା ବାହିନୀପତିଙ୍କ ସମେତ ଅନେକ ତୁଙ୍ଗ ନେତାଙ୍କୁ ପୋଲିସ ଗିରଫ କରିଛି । ଜିଲ୍ଲାବ୍ୟପୀ ସତ୍ୟାଗ୍ରହ କରାଯିବ ବୋଲି କହିଛନ୍ତି ଭକ୍ତ ଦାସ ।
ତେବେ କଂଗ୍ରେସର ବିଧାନସଭା ଘେରାଉ ଅଭିଯାନ ସମ୍ପୂର୍ଣ୍ଣ ଭାବରେ ଅସଫଳ ହୋଇଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ । ଲୋୟର ପିଏମଜିରେ ହିଁ ଆନ୍ଦୋଳନ ସୀମିତ ରହିଥିଲା ।