ଭୁବନେଶ୍ୱର : ରାଜଧାନୀରୁ ଗିରଫ ହେଲେ ୧୦ ବାଂଲାଦେଶୀ। ବିନା ଭିସା ଓ ପାସ୍ପୋର୍ଟରେ ଭାରତକୁ ଅନୁପ୍ରବେଶ କରିଥିବାରୁ କ୍ରାଇମ୍ବ୍ରାଞ୍ଚ୍ ଏସ୍ଟିଏଫ୍ ଗିରଫ କରିଛି। ଏହି ଅନୁପ୍ରବେଶକାରୀଙ୍କ ମଧ୍ୟରେ ଏଜେଣ୍ଟ ସହ ୬ ପୁରୁଷ ଓ ୩ ମହିଳା ଅଛନ୍ତି।
ସୂଚନା ଅନୁଯାୟୀ ବେଙ୍ଗାଲୁରୁ ଯାଉଥିବା ବେଳେ ଭୁବନେଶ୍ବର ରେଳଷ୍ଟେସନ୍ରେ ସେମାନଙ୍କୁ ଡେବ୍ରିଗଡ଼-ଚେନ୍ନାଇ ଏକ୍ସପ୍ରେସ୍ରୁ ଗିରଫ କରାଯାଇଛି। ସେମାନେ ହେଲେ ବେଙ୍ଗାଲୁରୁରେ ରହୁଥିବା ଏଜେଣ୍ଟ ମହମ୍ମଦ ହସିମ୍, ବାଂଲାଦେଶ ଭାଲୁକା ଜିଲ୍ଲାର, ସୋଜିବ୍ ଖାଁ, ସରନ୍କୋଲା ରେଣ୍ଡିଆ ଗାଁର ଜଣେ ନାବାଳକ, ମୋରେଲ୍ଗଞ୍ଜ ଥାନାର ଅଲାମ୍ ସେଖ୍, ମହମ୍ମଦ ଅଜିମ୍, ଦିଲ୍ଲାର୍ ସେଖ୍, ସୋହାତୁଲୁକ ଦାର୍, କରମା ବେଗମ୍, ଚାନ୍ଦିପୁର ଥାନା ଅଞ୍ଚଳର ମୋନିରା ବେଗମ୍ ଓ ଦାମରାଇ ଥାନା ଅଞ୍ଚଳର ସାହାନା ବେଗମ୍। ଚଢ଼ଉ ବେଳେ ଏହି ସମସ୍ତ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇଥିଲା ଏବଂ ପଚରାଉଚରା ବେଳେ ଏମାନେ ସବୁ ସତ ମାନିଯାଇଥିଲେ। ଆସାମ ସୀମାରେ ଗଳାବାଟ ଦେଇ ଏମାନେ ଭାରତକୁ ଅନୁପ୍ରବେଶ କରିଥିବା ଜଣାପଡ଼ିଛି। ଏମାନଙ୍କ ପାଖରୁ ଉଭୟ ଭାରତୀୟ ଟଙ୍କା ସହିତ ବାଂଲାଦେଶ କରେନ୍ସି ଜବତ କରାଯାଇଛି। ହସିମ୍ ସେମାନଙ୍କ ପାଇଁ ନକଲି ଆଧାରକାର୍ଡ ପ୍ରସ୍ତୁତ କରିଛି ବୋଲି ଜଣାପଡିଛି। ଏଥିସହ ସେମାନଙ୍କଠାରୁ ନକଲି ଆଧାରକାର୍ଡ ସବୁ ଜବତ ହୋଇଛି । ଏମାନଙ୍କ ମଧ୍ଯରେ ଥିବା ଜଣେ ନାବାଳକକୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର କରାଯାଇଛି ଏବଂ ଅନ୍ୟ ସମସ୍ତଙ୍କୁ ଝାରପଡ଼ା ଜେଲ୍ ହାଜତକୁ ପଠାଇଦିଆଯାଇଛି।
ତେବେ ଭାରତକୁ ଅନୁପ୍ରବେଶ କରାଇବା ପଛରେ ଏମାନଙ୍କ କେଉଁ ମନ୍ଦ ଉଦ୍ଦେଶ୍ୟ ରହିଛି, ସେନେଇ ପୁଲିସ ଅନେକ କିଛି ତଥ୍ୟ ସଂଗ୍ରହ କରିବା ସହ ତଦନ୍ତ ଚଳାଇଛି ।