ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ ତାରିଖରେ ଓଡିଶାରେ ଶୁଭାରମ୍ଭ ହେବ ସୁଭଦ୍ରା ଯୋଜନା । ଏହି ଦିନ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା । ଏହା ପୂର୍ବରୁ ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ସଞ୍ଚୟ ଖାତାକୁ ରବିବାର ୧ ଟଙ୍କା ପଠାଯାଇଛି । ପରୀକ୍ଷାମୂଳକ ଭାବେ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ୧ ଟଙ୍କା ଲେଖାଏଁ ପଠାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।
ସେ କହିଛନ୍ତି ପରୀକ୍ଷା ମୂଳକ ଭାବେ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ୧ ଟଙ୍କା ଲେଖାଏଁ ପଠା ଯାଇଛି। ଶେଷ ଯୋଗ୍ୟ ମହିଳାଙ୍କ ପର୍ଯ୍ୟନ୍ତ ଯୋଜନା ନ ପହଞ୍ଚିବା ଯାଏଁ ପଞ୍ଜିକରଣ ଜାରି ରହିବ। ଇତିମଧ୍ୟରେ ୬୦ ଲକ୍ଷ ମହିଳା ପଞ୍ଜିକରଣ କରିସାରିଲେଣି। ୧ କୋଟିରୁ ଅଧିକ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
ସେ କହିଛନ୍ତି, ୧୭ ତାରିଖକୁ ନେଇ ଆଦୌ ଭୟଭୀତ ହୁଅନ୍ତୁ ନାହିଁ। ପ୍ରାଥମିକ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋିଦୀଙ୍କ ଜନ୍ମ ଦିନରେ ଏହି ଟଙ୍କା ପଞ୍ଜିକରଣ କରିଥିବା ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ। ୧୭ ତାରିଖ ପରେ ପଞ୍ଜିକରଣ ହୋଇଥିବା ଆକାଉଣ୍ଟକୁ ବି ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି । ଏହି ଦିନ ବିଏମସିରେ ଛୁଟି, କଲେଜ୍ ଘୋଷଣା କରାଯାଇଛି । ଭିଡକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ବିଜେପି ସରକାରଙ୍କ ମହତ୍ୱାକାଂକ୍ଷୀ ଯୋଜନା ସୁଭଦ୍ରାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।