ଭୁବନେଶ୍ୱର: ପିଏମ ଆବାସରେ ସଂପୂର୍ଣ୍ଣ ହୋଇଛି ୧,୩୩,୮୫୫ ଗୋଟି ବାସଗୃହ । ଏହା ସହିତ ଅବଶିଷ୍ଟ ଆବାସ ଘର ନିର୍ମାଣକାର୍ଯ୍ୟ ଜାରି ରହିଛି । ବିଧାନସଭାରେ ଗଣେଶ୍ୱର ବେହେରା ପଚାରିଥିବା ପ୍ରଶ୍ନରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ଉତ୍ତର ରଖିଛନ୍ତି ।
କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ମୁତାବକ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ)ରେ ଏପର୍ଯ୍ୟନ୍ତ ୧,୮୪,୬୨୭ ଟି ବାସଗୃହ ନିର୍ମାଣ ନିମନ୍ତେ ଅନୁମୋଦନ ହୋଇଥିଲା । ସେଥିମଧ୍ୟରୁ ୧,୩୩,୮୫୫ ଗୋଟି ପରିବାର ବାସଗୃହ ସଂପୂର୍ଣ୍ଣ କରିସାରିଛନ୍ତି ଏବଂ ଅବଶିଷ୍ଟ ଘର ନିର୍ମାଣାଧୀନ ଅଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୨୪ - ୨୫ ଆର୍ଥିକ ବର୍ଷରେ କୌଣସି ନୂତନ ବାସଗୃହ ଅନୁମୋଦନ ହୋଇନାହିଁ ।
୨୦୧୫ ମସିହାରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ) ରେ କେନ୍ଦ୍ର ସରକାର ୧.୫ ଲକ୍ଷ ଓ ରାଜ୍ୟ ସରକାର ୫୦,୦୦୦ ଟଙ୍କା ବାସଗୃହ ନିର୍ମାଣ ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ରାଜ୍ୟ ସରକାର ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଗୃହ କାର୍ଯ୍ୟ ସଂପୂର୍ଣ୍ଣ କଲେ ଯଥା ଚାରି ମାସ ମଧ୍ୟରେ ୨୦,୦୦୦/- ଟଙ୍କା ଓ ଛଅ ମାସ ମଧ୍ୟରେ ଗୃହ କାର୍ଯ୍ୟ ସଂପୂର୍ଣ କଲେ ୧୦,୦୦୦ ଟଙ୍କା ର ପ୍ରୋତ୍ସାହନ ରାଶି ହିତାଧିକାରୀଙ୍କୁ ପ୍ରଦାନ କରିଥାନ୍ତି ।
୨୦୨୫ ମସିହାରେ ନୂତନ ଭାବେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ) ୨.୦ ନିୟମ ଅନୁଯାୟୀ ବାସଗୃହ ନିର୍ମାଣ ନିମନ୍ତେ ହିତାଧିକାରିମାନଙ୍କୁ କେନ୍ଦ୍ର ସରକାର ୧.୫ ଲକ୍ଷ ଓ ରାଜ୍ୟ ସରକାର ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ନିମନ୍ତେ ଏହି ବିଭାଗ କେନ୍ଦ୍ର ସରକାରଙ୍କ ସହିତ ଏକ ଚୁକ୍ତି ନାମା ସ୍ୱାକ୍ଷର କରିଛନ୍ତି ।