ଓଡ଼ିଶା ଆଜି ଶିଳ୍ପ କ୍ଷେତ୍ରରେ ଏକ ଐତିହାସିକ ମୋଡ଼କୁ ପହଞ୍ଚିଛି। ସମ୍ବଲପୁର ଜିଲ୍ଲାର ରେଙ୍ଗାଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ JSW ଷ୍ଟିଲ୍ ଲିମିଟେଡ୍ ଓ ଜାପାନର JFE ଷ୍ଟିଲ୍ କର୍ପୋରେସନ୍ ମଧ୍ୟରେ ହୋଇଛି ଏକ ବଡ଼ ଯୁଗ୍ମ ସହଭାଗୀତା (Joint Venture), ଯାହା ରାଜ୍ୟକୁ ଲୌହ ପଥର ଉତ୍ପାଦକ ରାଜ୍ୟରୁ ବିଶ୍ୱସ୍ତରୀୟ ଉଚ୍ଚମାନର ଇସ୍ପାତ ହବ୍ରେ ପରିଣତ କରିବାକୁ ଦିଗଦର୍ଶନ ଦେଉଛି।
ଏହି ପ୍ରକଳ୍ପ ଦ୍ୱାରା ଜାପାନ ପକ୍ଷରୁ ପ୍ରଥମଥର ପାଇଁ ଓଡ଼ିଶାରେ ୧୫,୦୦୦ କୋଟି ଟଙ୍କାର ଏକକ ପୁଞ୍ଜିନିବେଶ ହେଉଛି। ବିଶେଷ କରି ଇଲେକ୍ଟ୍ରିକାଲ ଷ୍ଟିଲ୍ ଉତ୍ପାଦନରେ ଏହି ସହଯୋଗ EV ଓ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବ। JSW ଷ୍ଟିଲର ବର୍ତ୍ତମାନ କ୍ଷମତାରେ ବାର୍ଷିକ ୧୦ ନିୟୁତ ଟନ୍ ବୃଦ୍ଧି ହେବା ସହିତ ଓଡ଼ିଶାର ସ୍ଥାନ ବିଶ୍ୱ ଇସ୍ପାତ ବଜାରରେ ଆହୁରି ମଜବୁତ ହେବ।
୨୦୩୦ ପାଇଁ ବଡ଼ ଲକ୍ଷ୍ୟ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ୨୦୩୦ ସୁଦ୍ଧା ଓଡ଼ିଶାରୁ ବାର୍ଷିକ ୧୦୦ MTPA ଇସ୍ପାତ ଉତ୍ପାଦନ କରିବା ଲକ୍ଷ୍ୟ ରହିଛି। ଏହି ପାଇଁ ଆବଶ୍ୟକ ସମ୍ବଳ, ନୀତି ଓ ଭିତ୍ତିଭୂମି ପ୍ରସ୍ତୁତ ଅଛି।
‘ସମ୍ବଲପୁର ଗ୍ରୋଥ୍ କରିଡର’ ଘୋଷଣା
ରାଉରକେଲା, ଝାରସୁଗୁଡ଼ା, ବରଗଡ଼ ଓ ଦେବଗଡ଼କୁ ନେଇ ‘ସମ୍ବଲପୁର ଗ୍ରୋଥ୍ କରିଡର’ ଗଠନ ହେବ। ଏଠାରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ନିବେଶ ହେବା ସହ ୨ ଲକ୍ଷରୁ ଅଧିକ ଚାକିରି ସୃଷ୍ଟି ହେବ।
କେନ୍ଦୁଝରରେ ନିବେଶ ପାଇଁ ଆହ୍ୱାନ
ମୁଖ୍ୟମନ୍ତ୍ରୀ JFE ଷ୍ଟିଲ୍କୁ କେନ୍ଦୁଝରରେ ନିବେଶ କରିବାକୁ ଆହ୍ୱାନ କରି କହିଛନ୍ତି, ଏଠାରେ ଉଚ୍ଚମାନର ଲୌହ ପଥର ଓ ସୁବିଧାଜନକ ପରିବହନ ବ୍ୟବସ୍ଥା ଯୋଗୁଁ ଉତ୍ପାଦନ ଖର୍ଚ୍ଚ ୫୦% ପର୍ଯ୍ୟନ୍ତ କମିପାରିବ।
ଓଡ଼ିଶା ପାଇଁ ଐତିହାସିକ ମୁହୂର୍ତ୍ତ
JSW–JFE ସହଭାଗୀତା ମାଧ୍ୟମରେ ରାଜ୍ୟରେ ମୋଟ ୩୦ ହଜାର କୋଟି ଟଙ୍କାର ନିବେଶ ହେବା ଆଶା। ୨୦୩୬ ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ ଗଠନରେ ଏହି ପ୍ରକଳ୍ପ ଏକ ମାଇଲ୍ଷ୍ଟୋନ୍ ଭାବେ ପ୍ରମାଣିତ ହେବ।
ଏହି ଯୁଗଳ ପଦକ୍ଷେପ ଓଡ଼ିଶାକୁ କେବଳ ଶିଳ୍ପରେ ନୁହେଁ, ବିଶ୍ୱ ନିବେଶକଙ୍କ ଦୃଷ୍ଟିରେ ମଧ୍ୟ ଏକ ଆକର୍ଷଣୀୟ ଗନ୍ତବ୍ୟ ଭାବେ ପରିଚିତ କରିଦେବ।