ଦିନିକିଆ ବିଶ୍ୱକପକୁ ଆଉ ଅଳ୍ପ ଦିନ ବାକି ରହିଲା । ଆହତ ହୋଇଥିବା ଅକ୍ସର ପଟେଲଙ୍କ ଫିଟନେସକୁ ନେଇ ମଧ୍ୟ କୌଣସି ସ୍ପଷ୍ଟୀକରଣ ମିଳିନାହିଁ । ଅନ୍ୟପକ୍ଷରେ ବିକଳ୍ପ ଖେଳାଳିଙ୍କୁ ପ୍ରସ୍ତୁତ କରିବାରେ ଲାଗିଛନ୍ତି ଭାରତୀୟ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର । ଅକ୍ସରଙ୍କ ବଦଳରେ ଦୁଇ ଅଫ ସ୍ପିନର ଅଶ୍ୱିନ ଏବଂ ସୁନ୍ଦରଙ୍କୁ ପ୍ରସ୍ତୁତ କରାଯାଉଛି । ବିଶ୍ୱକପ୍ ପୂର୍ବରୁ ଖେଳାଯାଉଥିବା ଅଷ୍ଟ୍ରେଲିୟା ବିପକ୍ଷ ଦିନିକିଆରେ ଦୁଇ ସ୍ପିନରଙ୍କୁ ସମ୍ପୂର୍ଣ୍ଣ ପ୍ରଦର୍ଶନ ଦେଖାଇବାକୁ ହେବ । କିନ୍ତୁ ପ୍ରଶ୍ନ ଉଠୁଛି ଅଭିଜ୍ଞ ଅଶ୍ୱିନଙ୍କ ବଦଳରେ ସୁନ୍ଦରଙ୍କୁ ଦଳରେ ସ୍ଥାନ ଦେବା କେତେ ଲାଭଦାୟକ ହେବ । ଏବେ ଭାରତ ପାଇଁ ଦୀର୍ଘ ଦିନ ଧରି ଖେଳିଆସୁଥିବା ଅଭିଜ୍ଞ ଖେଳାଳିଙ୍କୁ ନବାଗତଙ୍କ ସହ ପ୍ରତିଯୋଗିତା କରିବାକୁ ହେବ । କିନ୍ତୁ ଯଦି ଅକ୍ସର ପଟେଲ ଫିଟ୍ ଅଛନ୍ତି ତେବେ ଅନ୍ୟ କୌଣସି ବିକଳ୍ପର ପ୍ରଶ୍ନ ହିଁ ଉଠୁନି । କିନ୍ତୁ ଟିମ୍ ଇଣ୍ଡିଆ ଲିଷ୍ଟରେ ସୁନ୍ଦରଙ୍କ ସ୍ଥାନ ଆଗରେ ଅଛି ବୋଲି ସ୍ପଷ୍ଟ ଜଣା ପଡୁଛି, କାରଣ ଏସିଆ କପ୍ ଫାଇନାଲରେ ଅକ୍ସର ଖେଳୁନଥିବାରୁ ସୁନ୍ଦରଙ୍କୁ ସ୍ଥାନ ଦିଆଯାଇଥିଲା ।
ପୂର୍ବତନ କ୍ରିକେଟର ତଥା ଭେଟେରାନ ଅଫ ସ୍ପିନର ହରଭଜନ ସିଂଙ୍କ ଅନୁସାରେ ଯେବେଠୁ ସୁନ୍ଦରଙ୍କୁ ଏସିଆ କପ୍ ଫାଇନାଲରେ ଅକ୍ସରଙ୍କ ବଦଳରେ ଚୟନ କରାଯାଇଛି ସେବେଠୁ ହିଁ ସ୍ପଷ୍ଟ ଯେ ଭାରତୀୟ ଦଳରେ ତାଙ୍କ ସ୍ଥାନ ପକ୍କା ଅଛି । ଏହା ଛଡା ସୁନ୍ଦର ଜଣେ ବାମ ହାତୀ ବ୍ୟାଟ୍ସମ୍ୟାନ ଏବଂ ଜଣେ ଭଲ ଫିଲଡର ମଧ୍ୟ । ସୁନ୍ଦର ପାୱାରପ୍ଲେରେ ମଧ୍ୟ ବୋଲିଙ୍ଗ କରିପାରନ୍ତି ଯାହା ଭାରତ ପାଇଁ ଲାଭଦାୟକ ହେବ । ତେଣୁ ସୁନ୍ଦର ଟିମରେ ଭଲ ପ୍ରଦର୍ଶନ କରିବେ ବୋଲି ହରଭଜନ ମତ ରଖିଛନ୍ତି ।
ଅଧିକ ପଢନ୍ତୁ: ଦିନିକିଆ ବୋଲିଂ ମାନ୍ୟତାରେ ସିରାଜ ୧ ନମ୍ବର ସ୍ଥାନ ଅଧିକାର କରିଛନ୍ତି