ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଚଳିତ ସଂସ୍କରଣରେ ସର୍ବାଧିକ ରନ୍ ସଂଗ୍ରହକାରୀ ତାଲିକାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବିସ୍ଫୋରକ ବ୍ୟାଟର ବିରାଟ କୋହଲି ୫୪୨ ରନ୍ ସହିତ ଶୀର୍ଷରେ ରହିଛନ୍ତି । କୋହଲିଙ୍କ ପାଖରେ ଏବେବି ଅରେଞ୍ଜ କ୍ୟାପ୍ ରହିଛି । ସେହିପରି ମୁମ୍ବାଇ ଇଣ୍ଡିଆନ୍ସର ଦ୍ରୁତ ବୋଲର ଯଶପ୍ରୀତ ବୁମରା ପିନ୍ଧିଛନ୍ତି ପର୍ପଲ କ୍ୟାପ୍ ।
ଆଇପିଏଲ୍ର ଚଳିତ ସଂସ୍କରଣରେ ବିରାଟଙ୍କ ପରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଋତୁରାଜ ଗାଏକ୍ୱାର୍ଡ ୫୪୧ ରନ୍ ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ହାଇଦ୍ରାବାଦ୍ର ବିସ୍ଫୋରକ ବ୍ୟାଟର ଟ୍ରାଭିସ୍ ହେଡ୍ ୫୩୩ ରନ୍ ସହିତ ତୃତୀୟ ସ୍ଥାନରେ ଥିବା ବେଳେ ରାଜସ୍ଥାନର ଅଧିନାୟକ ସଂଜୁ ସାମ୍ସନ୍ ୪୭୧ ରନ୍ ସହ ଶ୍ରେଷ୍ଠ ବ୍ୟାଟର ତାଲିକାରେ ୪ର୍ଥ ସ୍ଥାନରେ ଅଛନ୍ତି । ପଞ୍ଚମରେ କୋଲକାତାର ସୁନୀଲ ନାରାୟଣ, ଯିଏକି ୪୬୧ ରନ୍ ସଂଗ୍ରହ କରିଛନ୍ତି।
ମୁମ୍ବାଇ ଇଣ୍ଡିଆନ୍ସର ଦ୍ରୁତ ବୋଲର ଯସପ୍ରୀତ ବୁମରା ସର୍ବାଧିକ ୱିକେଟ୍ ନେଇଥିବା ବୋଲରଙ୍କ ତାଲିକାର ଶୀର୍ଷରେ ରହିଛନ୍ତି । ଏଥି ପାଇଁ ତାଙ୍କ ପାଖରେ ରହିଛି ପର୍ପଲ କ୍ୟାପ୍। ବୁମରା ଚଳିତ ଆଇପିଏଲ୍ରେ ଏପର୍ଯ୍ୟନ୍ତ ୧୮ଟି ୱିକେଟ ଅକ୍ତିଆର କରିସାରିଛନ୍ତି । ପଂଜାବର ଦ୍ରୁତ ବୋଲର ହର୍ଷଲ ପଟେଲ ଓ କୋଲକାତାର ସ୍ପିନର ବରୁଣ ଚକ୍ରବର୍ତ୍ତୀ ଯଥାକ୍ରମେ ଦ୍ୱତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି। ହର୍ଷଲ ୧୭ ଓ ବରୁଣ ୧୬ଟି ୱିକେଟ୍ ନେଇଛନ୍ତି।
ପଏଣ୍ଟ ଟେବୁଲ କଥା ଯଦି କହିିବା ସନ୍ରାଇଜର୍ସ ହାଇଦ୍ରାବାଦ୍ ରବିବାର ଖେଳାଯାଇଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସକୁ ୬୨ ବଲ୍ ବାକି ଥାଇ ୧୦ ୱିକେଟ୍ରେ ପରାସ୍ତ କରିଛି । ତେବେ ଲକ୍ଷ୍ନୌକୁ ହ୍ରାଇଦ୍ରାବାଦ୍ ୧୦ ୱିକେଟ୍ରେ ପରାସ୍ତ କରିବା ପରେ ଅଙ୍କ ସୂଚୀରେ ବଡ଼ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ଲକ୍ଷ୍ନୌ ଏବେ ପଏଣ୍ଟ ଟେବୁଲ୍ରେ ୬ଷ୍ଠ ସ୍ଥାନରେ ରହିଛି । ଅନ୍ୟପଟରେ ହାଇଦ୍ରାବାଦ୍ ଅଙ୍କ ସୂଚୀରେ ତୃତୀୟ ସ୍ଥାନରେ ପହଞ୍ଚିଛି ।
କୋଲକାତା ନାଇଟ୍ ରାଇଡର୍ସ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । କୋଲକାତା ଓ ରାଜସ୍ଥାନ ରୟାଲର୍ସର ଅଙ୍କ ଯଦିଓ ସମାନ ୧୬-୧୬ ରହିଛି, ତଥାପି ରନ୍ରେଟ୍ +୧.୪୫୩ ଆଧାରରେ ଶାହରୁଖ ଖାନ୍ ମାଲିକାନା କୋଲକାତା ଟିମ୍ ଶୀର୍ଷରେ ରହିଛି । କୋଲକାତା ଏପର୍ଯ୍ୟନ୍ତ ୧୧ଟି ମ୍ୟାଚ୍ରୁ ୮ଟିରେ ବିଜୟ ହାସଲ କରିଛି । ରାଜସ୍ଥାନ ମଧ୍ୟ ୧୧ଟି ମ୍ୟାଚ୍ରୁ ୮ଟି ଜିତିଛି । କିନ୍ତୁ ରାଜସ୍ଥାନର ରନ୍ରେଟ୍ +୦.୪୭୬, ଯେଉଁଥି ପାଇଁ ଅଙ୍କ ସୂଚୀରେ ଦ୍ୱିତୀୟ ସ୍ଥାନରେ ରହିଛି ।
ଅଧିକ ପଢନ୍ତୁ : ହାଇଦ୍ରାବାଦର ଅବିଶ୍ୱସନୀୟ ରନ ଚେଜ, ପ୍ଲେଅଫ୍ସ ଦୌଡରୁ ବାଦ ପଡିଲା ମୁମ୍ବାଇ