ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ପୁଣି ଏକ ଘରୋଇ ମ୍ୟାଚ୍ ଖେଳିବେ । ଆସନ୍ତା ଜାନୁୟାରୀ ୬ ତାରିଖରେ ହେବାକୁ ଥିବା ବିଜୟ ହଜାରେ ଟ୍ରଫି ଖେଳି ପାରନ୍ତି କୋହଲି । ବେଙ୍ଗାଲୁରୁସ୍ଥିତ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ପରିଷଦର ସେଣ୍ଟର ଅଫ୍ ଏକ୍ସଲେନ୍ସିରେ ରେଲୱେ ବିପକ୍ଷରେ ହେବାକୁ ଥିବା ମ୍ୟାଚ୍ ଖେଳିବାର ସମ୍ଭାବନା ରହିଛି । ବିରାଟ ତିନୋଟି ମ୍ୟାଚ୍ ଖେଳିବାକୁ ସହମତି ପ୍ରକାଶ କରିଛନ୍ତି ବୋଲି କହିଛନ୍ତି ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍ ସଂଘ ଅଧ୍ୟକ୍ଷ ରୋହନ ଜେଟଲୀ ।
ନିକଟରେ ବିରାଟ ଦୁଇଟି ଘରୋଇ ମ୍ୟାଚରେ ଅଂଶ ଗ୍ରହଣ କରି ଦମଦାର ପ୍ରଦର୍ଶନ କରିଛନ୍ତି । ସେ ଦୁଇଟି ମ୍ୟାଚରେ ୧୩୧ ଏବଂ ୭୭ ରନର ପାଳି ଖେଳିଛନ୍ତି । କ୍ରିକେଟର ତାଲିକା-ଏରେ ତ୍ୱରିତ ବେଗରେ ୧୬,୦୦୦ ରନ୍ ପୂରଣ କରି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି ।
ଏହି ମ୍ୟାଚ୍ ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ମଧ୍ୟ କୋହଲି ଭଲ ପ୍ରଦର୍ଶନ କରିଥିଲେ । ଯେଉଁଥିରେ କ୍ରମାଗତ ୨ଟି ଶତକ ଏବଂ ଗୋଟିଏ ଅର୍ଦ୍ଧ ଶତକ ସାମିଲ ହୋଇଛି ।
ବିସିସିଆଇର ସୂତ୍ର ଅନୁସାରେ, ନ୍ୟୁଜିଲାଣ୍ଡ ସିରିଜ୍ ପାଇଁ ଭାରତୀୟ ଦିନିକିଆ ଦଳ ଜାନୁଆରୀ ୮ ସୁଦ୍ଧା ବଦୋଦରାରେ ପହଞ୍ଚିବ । କିନ୍ତୁ କୋହଲି ଗୋଟିଏ ଦିନ ପୂର୍ବରୁ ପହଞ୍ଚି ଅଭ୍ୟାସ ଆରମ୍ବ କରିପାରନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ଜାନୁଆରୀ ୧୧ରେ ଆରମ୍ଭ ହେବ। ଏଥିପାଇଁ ଏପର୍ଯ୍ୟନ୍ତ ଦଳ ଘୋଷଣା କରାଯାଇ ନାହିଁ । ଜାନୁଆରୀ ପ୍ରଥମ ସପ୍ତାହରେ ଭାରତୀୟ ଦଳ ଘୋଷଣା ହୋଇପାରେ । ଏହି ସିରିଜରେ କୋହଲି ଭଲ ପ୍ରଦର୍ଶନ କରିବେ ବୋଲି ତାଙ୍କ ପ୍ରଶଂସକମାନେ ଆଶା ରଖିଛନ୍ତି ।
ଅଧିକ ପଢ଼ନ୍ତୁ- ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପିର ବିଜୟ ହେବ: ପ୍ରଭାରୀ ବିଜୟପାଲ ସିଂହ ତୋମାର