ଭୁବନେଶ୍ୱର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଦଳର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦଳର ୪ ସାଧାରଣ ସଂପାଦକ ଓ ସଂଗଠନ ସଂପାଦକ ମାନସ ମହାନ୍ତି ପ୍ରମୁଖ ଉପସ୍ଥିତ ଅଛନ୍ତି । ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ବୈଠକରେ ଯୋଗ ଦେବାକୁ ଆସିଥିବା ପ୍ରଭାରୀ ବିଜୟପାଲ ସିଂହ ତୋମାର ।
ବିଜେପି ଦଳର ୪ ସାଧାରଣ ସଂପାଦକ ଓ ସଂଗଠନ ସଂପାଦକ ମାନସ ମହାନ୍ତିଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି । ସାଙ୍ଗଠନିକ ସ୍ଥିତି ନେଇ ମାନସ ମନ୍ଥନ ଚାଲିଥିବା ସୂଚନା ମିଳିଛି । ବୈଠକରେ ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟପାଲ୍ ସିଂହ ତୋମାର ଓ ସହ ପ୍ରଭାରୀ ଲତା ଉଣ୍ଡେସି ପ୍ରମୁଖ ଉପସ୍ଥିତ ଅଛନ୍ତି ।
ପ୍ରଭାରୀ ତୋମାର କହିଛନ୍ତି ଯେ ନୂଆ ବର୍ଷରେ ଭାରତୀୟ ଜନତା ପାର୍ଟି ଆହୁରି ଭଲ ପ୍ରଦର୍ଶନ କରିବ । ଯାହା ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପ୍ରାୟତଃ ପୂରଣ କରାଯାଇସାରିଲାଣି । ଅବଶିଷ୍ଟ ପ୍ରତିଶ୍ରୁତି ମଧ୍ୟ ପୂରଣ କରାଯିବ । ପଞ୍ଚାୟତ ଓ ପୌର ନିର୍ବାଚନରେ ‘ନୂଆପଡ଼ା’ ଭଳି ବିଜୟୀ ହେବ । ଓଡ଼ିଶାରେ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପିର ବିପୁଳ ବିଜୟ ହେବ । ଭାରତୀୟ ଜନତା ପାର୍ଟି ନିରନ୍ତର ନିଜର ସାଂଗଠନିକ କାର୍ଯ୍ୟକ୍ରମ ଜାରି ରଖିଛି। ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ ଅଛି।
ସେହିପରି ସହ ପ୍ରଭାରୀ ଲତା ଉସେଣ୍ଡି କହିଛନ୍ତି ମୋହନ ମାଝୀଙ୍କ ନେତୃତ୍ୱରେ ତ୍ୱରିତ ବେଗରେ କାର୍ଯ୍ୟ ଜାରି ରହିଛି । ବିଜେପି ସବୁବେଳେ ସାଂଗଠନିକ ଶକ୍ତି ବୃଦ୍ଧି କରିବା ଦିଗରେ ପ୍ରୟାସରତ । ବିଜେପିର ବିଚାରଧାରା ସହିତ ଅଧିକରୁ ଅଧିକ ଲୋକ ଯୋଡ଼ି ହେବାକୁ ସେ ଆହ୍ୱାନ କରିଛନ୍ତି ।