ଆଇପିଏଲ ୨୦୨୪ ଶେଷ ହୋଇଛି । କୋଲକାତା ନାଇଟ ରାଇଡ଼ର୍ସ ୩ୟ ଥର ପାଇଁ ଟ୍ରଫି ହାତେଇଛି। ତେବେ ଆଇପିଏଲ ଚାଲିଥିବାରୁ ସନ୍ଧ୍ୟା ସମୟରେ କ୍ରୀଡ଼ାପ୍ରେମୀ କ୍ରିକେଟ ଖେଳକୁ ଉପଭୋଗ କରୁଥିଲେ, କିନ୍ତୁ ଆଇପିଏଲ ଶେଷ ହେବା ପରେ ସନ୍ଧ୍ୟା ସମୟ ଖାଲିରେ କଟୁଛି । କିନ୍ତୁ ଜୁନ୍ ରୁ ଆରମ୍ଭ ହେଉଛି ଟି-୨୦ କ୍ରିକେଟର ସବୁଠାରୁ ବଡ ଟୁର୍ନାମେଣ୍ଟ । ତେବେ ଜୁନ୍ ୧ ରୁ ଆରମ୍ଭ ହେବ ପୁରୁଷ ଟି-୨୦ ବିଶ୍ୱକପ, ଯେଉଁଥିରେ ପ୍ରଥମ ଦିନରେ ୟୁନାଇଟେଡ଼ ଷ୍ଟେଟ୍ସ ଏବଂ କାନାଡ଼ା ମୁହାଁମୁହିଁ ହେବେ । ତେବେ ଜୁନ୍ ୧ ରୁ ଜୁନ୍ ୨୯ ତାରିଖ ପର୍ଯ୍ୟନ୍ତ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ୨୦୨୪ ଖେଳାଯିବ । ଏହି ଟୁର୍ନାମେଣ୍ଟରେ ସମୁଦାୟ ୨୦ ଟି ଦଳ ଅଂଶଗ୍ରହଣ କରିଥିବାବେଳେ ୪ ଟି ଗ୍ରୁପ କରାଯାଇଛି । ପ୍ରତି ଗ୍ରୁପରେ ୫ ଟି ଦଳ ରହିଛନ୍ତି ଏବଂ ସମୁଦାୟ ୫୫ ଟି ଟି-୨୦ ମ୍ୟାଚ ଖେଳାଯିବ ।
ଗ୍ରୁପ-ଏ , ବି , ସି ଏବଂ ଡି ଭଳି ୪ ଟି ଗ୍ରୁପରେ ୨୦ ଟି ଦଳଙ୍କୁ ବିଭକ୍ତ କରାଯାଇଛି । ଗ୍ରୁପ ଏ ରେ ଭାରତ, ପାକିସ୍ତାନ, ଆୟାରଲ୍ୟାଣ୍ଡ, ୟୁନାଇଟେଡ଼ ଷ୍ଟେଟ୍ସ ଏବଂ କାନାଡ଼ା ରହିଛନ୍ତି । ଗ୍ରୁପ ବି ରେ ଅଷ୍ଟ୍ରେଲିଆ, ନାମିବିଆ, ସ୍କଟଲ୍ୟାଣ୍ଡ, ଓମାନ ଏବଂ ଇଂଲଣ୍ଡ ରହିଛନ୍ତି । ଗ୍ରୁପ ସି ରେ ନିଉଜିଲାଣ୍ଡ, ୱେଷ୍ଟ ଇଣ୍ଡିଜ, ଆଫଗାନିସ୍ତାନ ,ୟୁଗାଣ୍ଡା ଏବଂ ପାପୁଅ ନିଉ ଗିନି ରହିଥିବାବେଳେ ଗ୍ରୁପ ଡି ରେ ଶ୍ରୀଲଙ୍କା, ବାଂଲାଦେଶ, ନେଦରଲ୍ୟାଣ୍ଡ, ନେପାଲ ଏବଂ ଦକ୍ଷିଣ ଆଫ୍ରିକା ରହିଛନ୍ତି ।
ତେବେ ଭାରତୀୟ ଦଳ ୫ ଜୁନ୍ ରେ ଆୟାରଲ୍ୟାଣ୍ଡ ବିପକ୍ଷରେ ଚଳିତ ଟି-୨୦ ବିଶ୍ୱକପର ଅଭିଯାନ ଆରମ୍ଭ କରିବ । ଏହି ମ୍ୟାଚ ନାସାଉ କାଉଣ୍ଟି ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍, ନ୍ୟୁୟର୍କରେ ଖେଳାଯିବ । ଜୁନ୍ ୯ ରେ ଭାରତ ଓ ପାକିସ୍ତାନ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ।
ଅଧିକ ପଢନ୍ତୁ : ଆଇପିଏଲ୍: ତୃତୀୟ ଥର ଚାମ୍ପିଅନ୍ ହେଲା କୋଲକାତା, ଫାଇନାଲ ମୁକାବିଲାରେ ହାଇଦ୍ରାବାଦ୍ ପରାସ୍ତ