ଚେନ୍ନାଇ: ଶ୍ରେୟସ ଆୟରଙ୍କ ଅଧିନାୟକତ୍ବରେ କୋଲକାତା ନାଇଟ୍ ରାଇଡର୍ସ ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)-୨୦୨୪ରେ ପ୍ରଶସଂନୀୟ ପ୍ରଦର୍ଶନ କରିଛି। କୋଲକାତା ଟିମ୍ ଫାଇନାଲ ମୁକାବିଲାରେ ସନ୍ରାଇଜର୍ସ ହାଇଦ୍ରାବାଦ୍କୁ ପରାସ୍ତ କରି ଚାମ୍ପିଅନ୍ ହୋଇଛି। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ ରବିବାର ସନ୍ରାଇଜର୍ସ ହାଇଦ୍ରାବାଦ୍କୁ ୮ ୱିକେଟ୍ରେ ପରାସ୍ତ କରିଛି। ଏଥି ସହିତ କୋଲକାତା ନାଇଟ୍ ରାଇଡର୍ସ ତୃତୀୟ ଥର ଆଇପିଏଲ୍ ଟ୍ରଫିର ଅଧିକାରୀ ହୋଇପାରିଛି। କୋଲକାତା ଟିମ୍ ପୂର୍ବରୁ ୨୦୧୨ ଓ ୨୦୧୪ରେ ଚାମ୍ପିଅନ୍ ହୋଇଥିଲା।
କୋଲକାତା ନାଇଟ୍ ରାଇଡର୍ସ ପାଇଁ ଭେଙ୍କଟେସ୍ ଆୟର ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୨୬ଟି ବଲ୍ ଖେଳି ୪ଟି ଚୌକା ଓ ୩ଟି ଛକା ବଳରେ ଅପରାଜିତ ୫୨ ରନ୍ ସଂଗ୍ରହ କରିଥିଲେ। ସେହିପରି ପ୍ରାରମ୍ଭିକ ବ୍ୟାଟର ରହମାନୁଲ୍ଲା ଗୁରବାଜ ୩୯ ରନ୍ ସଂଗ୍ରହ କରିଥିଲେ। ସେ ୩୨ଟି ବଲ୍ ଖେଳି ୫ଟି ଚୌକା ଓ ୨ଟି ଛକା ମାରିଥିଲେ। ସୁନୀଲ ନାରାୟଣ ୬ ରନ୍ ଓ ଅଧିନାୟକ ଶ୍ରେୟସ ଆୟର ଅପରାଜିତ ୬ ରନ୍ କରିଥିଲେ।
ଏହି ମ୍ୟାଚରେ ହାଇଦ୍ରାବାଦ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୧୩ ରନରେ ସୀମିତ ରହିଯାଇଥିଲା। ଫଳରେ କୋଲକାତା ନାଇଟରାଇଡର୍ସ ଆଗରେ ବିଜୟ ପାଇଁ ୧୧୪ ରନର ଲକ୍ଷ୍ୟ ଥିଲା। ମାତ୍ର ୬ ରନରେ ଦଳ ନିଜର ଦୁଇ ଓପନର ଟ୍ରାଭିସ ହେଡ ଓ ଅଭିଷେକ ଶର୍ମା ପାଭିଲିୟନ ଫେରିଥିଲେ। ପରବର୍ତ୍ତୀ କୌଣସି ବ୍ୟାଟ୍ସମ୍ୟାନ ଦଳକୁ ସଂକଟରୁ ଉଦ୍ଧାର କରିପାରିନଥିଲେ। ଅଧିନାୟକ ପାଟ୍ କମିନ୍ସ ୨୪ ରନ ଓ ଆଇଡେନ ମାର୍କରାମ ୨୦ ରନ କରିଥିଲେ। ନୀତୀଶ ରେଡ୍ଡୀ ୧୩ ଓ ହେନଲିକ କ୍ଲାସେନ ୧୬ ରନ କରିଥିଲେ। କୋଲକାତା ପାଇଁ ଆନ୍ଦ୍ରେ ରସେଲ ୩ଟି ଓ୍ବିକେଟ ନେଇଥିବାବେଳେ ହର୍ଷିତ ରାଣା ଓ ମିଚେଲ ଷ୍ଟାର୍କ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ। ସେହିପରି ସୁନୀଲ ନାରାୟଣ, ବୈଭବ ଆରୋରା ଓ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏଁ ଓ୍ବିକେଟ ମିଳିଥିଲା।
ଆଇପିଏଲ୍ରେ ସର୍ବନିମ୍ନ ସ୍କୋର୍
-ଚେନ୍ନାଇରେ ୧୧୩ ରନ୍: ସନ୍ରାଇଜର୍ସ ହାଇଦ୍ରାବାଦ୍ ବନାମ କୋଲକାତା ନାଇଟ୍ ରାଇଡର୍ସ (୨୦୨୪)
-କୋଲକାତାରେ ୧୨୫/୯ ରନ୍: ଚେନ୍ନାଇ ସୁପର କିଙ୍ଗ୍ସ ବନାମ୍ ମୁମ୍ବାଇ ଇଣ୍ଡିଆନ୍ସ (୨୦୧୩)
-ହାଇଦ୍ରାବାଦ୍ ୧୨୮/୬: ରାଇଜିଂ ପୁନେ ସୁପରଜ୍ୟାଣ୍ଟ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ (୨୦୧୭)
-ହାଇଦ୍ରାବାଦ୍ ୧୨୯/୮: ମୁମ୍ବାଇ ଇଣ୍ଡିଆନ୍ସ ବନାମ ରାଇଜିଂ ପୁନେ ସୁପରଜ୍ୟାଣ୍ଟସ୍ (୨୦୧୭)