ନୂଆଦିଲ୍ଲୀ: ଏସିଆ କପ୍ ଫାଇନାଲ ମୁକାବିଲାରେ ଭାରତୀୟ କ୍ରିକେଟ୍ ଟିମ୍ ତାର ପାରମ୍ପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ପରାସ୍ତ କରିଛି । ତଥାପି ପାକିସ୍ତାନୀଙ୍କ ଟାଣ ଭାଙ୍ଗୁନି । ଏସିସି ଅଧ୍ୟକ୍ଷ ତଥା ପାକିସ୍ତାନର ମନ୍ତ୍ରୀ ମୋହସୀନ ନକଭିଙ୍କ ନାଟକ ଥମିବାର ନାଁ ଧରୁନାହିଁ । ପ୍ରଥମେ ବିଜେତା ଟିମର କପକୁ ନିଜେ ନେଇ ଚାଲି ଯାଇଥିଲେ । ବର୍ତ୍ତମାନ ପୁଣି ଆଉ ନାଟକ ଆରମ୍ଭ କରିଛନ୍ତି ନକଭି । ନିଜେ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଟ୍ରଫି ନେବାକୁ ଆସନ୍ତୁ ବୋଲି ଦାବି ରଖିଛନ୍ତି ନକଭି ।
ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଟ୍ରଫି ଭାରତକୁ ହସ୍ତାନ୍ତର କରିବାକୁ ସ୍ପଷ୍ଟ ଭାବରେ ଦାବି ରଖିଛି । ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ମଙ୍ଗଳାବର ଅନୁଷ୍ଠିତ ଏସିସି ବୈଠକରେ ଟ୍ରଫି ଭାରତକୁ ଦେବାକୁ ଦାବି ରଖିଥିଲେ । କିନ୍ତୁ ନକଭି ନିଜ ଜିଦରେ ଅଟଳ । କ୍ୟାପଟେନ୍ ସୂର୍ଯ୍ୟକୁମାର ନିଜେ ଆସି ଟ୍ରଫି ନିଅନ୍ତୁ ବୋଲି ଜିଦ୍ ଧରିଛନ୍ତି । ଏସିସି ବୈଠକରେ କୌଣସି ନିଷ୍କର୍ଷ ବାହାରିପାରି ନାହିଁ ।
ବିସିସିଆଇ ସଚିବ ଦେବଜୀତ ସୈକିୟା କହିଛନ୍ତି ଯେ ନକଭିଙ୍କ ବ୍ୟବହାର ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ଖେଳୁଆଳ ଅଟେ । ଆମେ ସ୍ପଷ୍ଟ କରିଥିଲୁ ଯେ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ କରିବୁ ନାହିଁ, କିନ୍ତୁ ତାହାର ଅର୍ଥ ନୁହେଁ ଯେ ଟ୍ରଫି ଓ ମେଡାଲ ସେ ନିଜେ ନେଇ ଚାଲିଯିବେ ।
ଭାରତୀୟ ଟିମ୍ ଜଣେ ପାକିସ୍ତାନୀଙ୍କ ହାତରୁ କୌଣସି ସର୍ତ୍ତରେ ଟ୍ରଫି ଗ୍ରହଣ କରିବ ନାହିଁ ବୋଲି ସିଧାସଳଖ ପୁରସ୍କାର ବିତରଣ ସମୟରେ ମନା କରିଦେଇଥିଲା । ଏହାପରେ ନକଭି ନିଜେ ଟ୍ରଫିକୁ ନେଇ ହୋଟେଲ୍ ଚାଲିଯାଇଥିଲେ । ଟୁର୍ଣ୍ଣାମେଣ୍ଟରେ ବିଜୟ ହୋଇ ମଧ୍ୟ ଭାରତୀୟ ଟିମ୍ ଟ୍ରଫି ପାରବାରୁ ବଞ୍ଚିତ ରହିଛି । ଏହି ମାମଲା ବର୍ତ୍ତମାନ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ ବା ଆଇସିସି ନିକଟକୁ ଯାଇପାରେ ।