ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ବୁଧବାର ସଦ୍ୟତମ ଟେଷ୍ଟ ମାନ୍ୟତା ଜାରି କରିଛି। ବେଲିଂରେ କମାଲ କରିଛନ୍ତି ଭାରତର ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରା। ସେ ପୁଣି ଥରେ ବୋଲିଂ ମାନ୍ୟତାରେ ଶୀର୍ଷକୁ ଉଠିଛନ୍ତି। ସେ ନିଜ ଦେଶର ସାଥୀ ଖେଳାଳି ରବିଚନ୍ଦ୍ରନ ଅଶ୍ଵିନଙ୍କୁ ପଛରେ ପକାଇଛନ୍ତି। ବୁମରାଙ୍କ ରେଟିଂ ପଏଣ୍ଟ ୮୭୦ ରହିଥିବା ବେଳେ ଅଶ୍ଵିନ ୮୬୯ ରେଟିଂ ପଏଣ୍ଟ ସହ ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ଦୁଇ ନିକଟରେ ଗତକାଲି ସଂପନ୍ନ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍ରେ ଚମତ୍କାର ପ୍ରଦର୍ଶନ କରି ୧୧ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।
ବୋଲିଂରେ ବାଂଲାଦେଶର ସ୍ପିନ ବୋଲର ମେହଦି ହସନ ମିରାଜ ୪ଟି ସ୍ଥାନ ଉପରକୁ ଉଠି ୧୮ତମ ଓ ଅନୁଭବୀ ଶାକିବ ଅଲ ହସନ ୫ଟି ସ୍ଥାନ ଉନ୍ନତି ଘଟାଇ ୨୮ତମ ସ୍ଥାନରେ ପହଞ୍ଚିଛନ୍ତି। ଶ୍ରୀଲଙ୍କାର ସ୍ପିନର ପ୍ରଭାତ ଜୟସୂର୍ଯ୍ୟା(୮୦୧) ନିଜ କ୍ୟାରିୟରର ଶ୍ରେଷ୍ଠ ରେଟିଂ ହାସଲ କରିଛନ୍ତି। ସେ ଯୁଗ୍ମ ଭାବେ ନବମ ସ୍ଥାନରେ ରହିଛନ୍ତି। ସେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ରେ ୧୮ ଓ୍ଵିକେଟ୍ ଅକ୍ତିକାର କରି ପ୍ଲେୟାର ଅଫ୍ ଦ ସିରିଜ୍ ଜିତିଥିଲେ। ତାଙ୍କୁ ଏହି ପ୍ରଦର୍ଶନର ଫାଇଦା ମିଳିଛି।
ସେହିପରି ବ୍ୟାଟିଂ ତାଲିକାରେ ଭାରତର ତାରକା ବ୍ୟାଟର ବିରାଟ କୋହଲିଙ୍କ ଟପ୍-୧୦କୁ ପ୍ରତ୍ୟାବର୍ତ୍ତନ ଘଟିଛି। କୋହଲି ୭୨୪ ପଏଣ୍ଟ ସହ ଷଷ୍ଠ ସ୍ଥାନକୁ ଉଠିଛନ୍ତି। ଚେନ୍ନାଇ ଟେଷ୍ଟ ପରେ ସେ ଟପ-୧୦ରୁ ବାଦ୍ ପଡ଼ିଥିଲେ। ତେବେ କାନପୁର ଟେଷ୍ଟର ପ୍ରଥମ ଇନିଂସରେ ୪୭ ରନ ଓ ଦ୍ଵିତୀୟ ଇନିଂସରେ ଅପରାଜିତ ୨୭ ରନ କରିଥିଲେ। ଚମତ୍କାର ଫର୍ମରେ ଥିବା ଓପନର ବ୍ୟାଟର ଯଶସ୍ଵୀ ଜୟସ୍ଵାଲ ୨ଟି ସ୍ଥାନ ଉନ୍ନତି ଘଟାଇ କ୍ୟାରିୟରର ଶ୍ରେଷ୍ଠ ସ୍ଥାନକୁ ଉଠି ତୃତୀୟରେ ପହଞ୍ଚିଛନ୍ତି। ସେ କାନପୁର ଟେଷ୍ଟର ଉଭୟ ଇନିଂସରେ ବିସ୍ଫୋରକ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ।
ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍ରେ ନିରାଶଜନକ ପ୍ରଦର୍ଶନ କରିଥିବା ଅଧିନାୟକ ରୋହିତ ଶର୍ମା(୬୯୩) ପଞ୍ଚମ ସ୍ଥାନ ତଳକୁ ଖସି ୧୫ତମ ସ୍ଥାନରେ ରହିଛନ୍ତି। ହିଟ୍ମ୍ୟାନ ବାଂଲାଦେଶ ବିପକ୍ଷ ଦୁଇ ମ୍ୟାଚ୍ର ଟେଷ୍ଟରେ ମୋଟ୍ ୪୨ ରନ କରିଛନ୍ତି। ଏହିପରି ଟପ୍-୧୦ ବ୍ୟାଟିଂରେ ଭାରତର ଦୁଇ ବ୍ୟାଟର ରହିଥିବା ବେଳେ ଟପ୍-୧୦ ବୋଲିଂ ମାନ୍ୟତାରେ ବୁମରା ଓ ଅଶ୍ଵିନଙ୍କ ସହିତ ରବୀନ୍ଦ୍ର ଜାଡ଼େଜା ରହିଛନ୍ତି।