ନେଦରଲ୍ୟାଣ୍ଡରେ ଅନୁଷ୍ଠିତ ଟି-୨୦ ଟ୍ରାଇ ସିରିଜର ଦ୍ୱିତୀୟ ମ୍ୟାଚରେ ଆୟାରଲ୍ୟାଣ୍ଡ ଶେଷ ବଲରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ଜିତିବା ପାଇଁ ଆୟୋଜକ ନେଦରଲ୍ୟାଣ୍ଡକୁ ଶେଷ ବଲରେ ତିନି ରନ ଆବଶ୍ୟକ ଥିବାବେଳେ,ମାର୍କ ଆଡାୟାର ଗୋଟିଏ ରନ ଦେଇ ଆୟାରଲ୍ୟାଣ୍ଡର ବିଜୟ ନିଶ୍ଚିତ କରିଥିଲେ।
ଟସ୍ ଜିତିବା ପରେ ନେଦରଲ୍ୟାଣ୍ଡ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆୟାରଲ୍ୟାଣ୍ଡ ପାଇଁ ବଲବର୍ନି ଏବଂ ଅଧିନାୟକ ଷ୍ଟର୍ଲିଙ୍ଗ ପ୍ରଥମ ୱିକେଟ୍ ପାଇଁ ୧୯ ରନ ସଂଗ୍ରହ କରିଥିଲେ। ୧୧-୧୧ ରନ ସ୍କୋର କରିବା ପରେ ଉଭୟ ଓପନର୍ ୱିକେଟ୍ ହରାଇଥିଲେ। ଟକ୍କର ୪୦ ର ଏକ ଇନିଂସ ଖେଳିଥିଲେ । ଶେଷରେ ମାର୍କ ଆଡାୟାର ୨୪ ଟି ବଲରେ ୪୯ ରନର ଇନିଂସ ଖେଳି ଦଳୀୟ ସ୍କୋରକୁ ୧୫୦ ରନରେ ପହଞ୍ଚାଇଥିଲେ। ନେଦରଲ୍ୟାଣ୍ଡ ପକ୍ଷରୁ ଟିମ୍ ପ୍ରିଙ୍ଗଲେ ତିନୋଟି ୱିକେଟ୍ ନେଇଥିଲେ। ଡୋରାମ ଏବଂ ୱାନ୍ ମିକେରେନ୍ ୨ ଟି ଲେଖାଏଁ ୱିକେଟ୍ ନେଇଥିଲେ।
ଦ୍ଵିତୀୟ ଇନିଂସରେ ନେଦରଲ୍ୟାଣ୍ଡର ଓପନର୍ ମାଇକେଲ୍ ଲେଭିଟ୍ ଏବଂ ମ୍ୟାକ୍ସ ଓ’ଡଡ୍ ପ୍ରଥମ ୱିକେଟ୍ ପାଇଁ ୩୯ ରନ ଭାଗିଦାରୀ କରିଥିଲେ। ୧୯ ରନ ସ୍କୋର କରିବା ପରେ ଲେଭିଟ୍ ଆଉଟ୍ ହୋଇଥିବାବେଳେ ମ୍ୟାକ୍ସ ୩୩ ରନ ସଂଗ୍ରହ କରିଥିଲେ। ବାସ୍ ଡି ଲିଡେ ୩୨ ରନ, ସ୍କଟ୍ ଏଡୱାର୍ଡସ୍ ୧୨ ରନ ସଂଗ୍ରହ କରିଥିଲେ। ଶେଷରେ ଟିମ୍ ପ୍ରିଙ୍ଗଲେ ୧୩ ଟି ବଲରେ ୩୫ ରନର ଅପରାଜିତ ଇନିଂସ ଖେଳିଥିଲେ। ବିସ୍ଫୋଟକ ବ୍ୟାଟିଂ ସତ୍ୱେ ଟିମ୍ ପ୍ରିଙ୍ଗଲେ ବିଜୟ ଲକ୍ଷ୍ୟକୁ ପାର କରାଇବେ ଅସଫଳ ହୋଇଥିଲେ ଏବଂ ୧ ରନରେ ପରାଜିତ ହୋଇଥିଲେ । ଫିଓନ ହ୍ୟାଣ୍ଡ ୩ ଟି ୱିକେଟ୍ ନେଇଥିଲା ବେଳେ କର୍ଟିସ କ୍ୟାମ୍ପର ୨ଟି ୱିକେଟ୍ ନେଇଥିଲେ । ମାର୍କ ଆଡାୟାର ୨ଟି ୱିକେଟ୍ ଓ ୪୯ ରନର ଇନିଂସ ଖେଳି ମ୍ୟାଚର ଶ୍ରେଷ୍ଠ ଖେଳାଳି ରୂପେ ବିବେଚିତ ହୋଇଥିଲେ ।
ଅଧିକ ପଢନ୍ତୁ : ଆଇପିଏଲ୍-୨୦୨୪: ଶେଷ ଲିଗ୍ ମ୍ୟାଚ୍ରେ ଦମ୍ଭ ଦେଖାଇଲା ହାଇଦ୍ରାବାଦ୍, ପଂଜାବ ବିପକ୍ଷରେ ବିଜୟୀ