ନାଗପୁର: ନାଗପୁରରେ ଖେଳା ଯାଉଥିବା ତିନି ମ୍ୟାଚ୍ ବିଶିଷ୍ଟ ପ୍ରଥମ ଦିନିକିଆରେ ଭାରତୀୟ ବୋଲର ଭ୍ରମଣକାରୀ ଇଂଲଣ୍ଡକୁ ୨୫୦ ରନ ଭିତରେ ସୀମିତ ରଖିଛନ୍ତି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୪୭.୪ ଓଭରରେ ୨୪୮ ରନରେ ଅଲଆଉଟ୍ ହୋଇଛି । ଭାରତ ସମ୍ମୁଖରେ ରହିଛି ୨୪୯ ରନର ବିଜୟ ଲକ୍ଷ୍ୟ ରହିଛି ।
ଇଂଲଣ୍ଡ ପକ୍ଷରୁ ଅଧିନାୟକ ଜୋସ୍ ବଟଲର ସର୍ବାଧିକ ୫୨ ରନର ଇନିଂସ ଖେଳିଥିବା ବେଳେ ଜାକବ ବେଥେଲ ୫୧ କରିଛନ୍ତି। ଫିଲିପ୍ ସଲ୍ଟ ୪୩ ରନ ଓ ବେନ ଡକେଟ୍ ୩୨ ରନର ଉପଯୋଗୀ ରନ କରିଛନ୍ତି। ଭାରତ ପକ୍ଷରୁ ବୋଲିଂରେ ରବୀନ୍ଦ୍ର ଜାଡ଼େଜା ୩ଟି ଓ୍ଵିକେଟ୍ ନେଇଥିବା ବେଳେ ପଦାର୍ପଣ ଦିନିକିଆରେ ହର୍ଷିତ ରାଣା ୩ ଓ୍ଵିକେଟ୍ ନେଇ ସଭିଙ୍କୁ ପ୍ରଭାବିତ କରିଛନ୍ତି।
ଅଧିକ ପଢ଼ନ୍ତୁ- ଷୋଡ଼ଶ ଅର୍ଥ ଆୟୋଗଙ୍କ ସହିତ ବୈଠକ ଶେଷ, ୧୨ ଲକ୍ଷ ୫୯ ହଜାର ୧୪୮ କୋଟି ଟଙ୍କା ଦାବି କଲେ ସରକାର
ଇଂଲଣ୍ଡକୁ ଦୁଇ ଓପନର ଫିଲିପ ସଲ୍ଟ ଓ ବେନ ଡକେଟ୍ ଦମଦାର ଆରମ୍ଭ ଦେଇଥିଲେ। ଉଭୟ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରି ଭାରତୀୟ ବୋଲରଙ୍କୁ ଚାପରେ ରଖିଥିଲେ। ଉଭୟ ପ୍ରଥମ ଓ୍ଵିକେଟ୍ରେ ୭୫ ରନ ଯୋଡ଼ି ବଡ଼ ସ୍କୋର ପାଇଁ ମୂଳଦୁଆ ପକାଇଥିଲେ। ତେବେ ଫିଲିପ୍ ସଲ୍ଟ ଆଉଟ୍ ହେବା ପରେ ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ସେ ବିସ୍ଫୋରକ ବ୍ୟାଟିଂ କରି ୨୬ ବଲ୍ରୁ ୫ ଚୌକା ଓ ୩ ଛକା ସହ ୪୩ ରନ କରି ଦୁର୍ଭାଗ୍ୟବଶତଃ ରନ ଆଉଟ୍ ହୋଇଥିଲେ। ଏହା ପରେ ୨୯ ବଲ୍ରୁ ୩୨ ରନ କରିଥିବା ବେନ ଡକେଟ୍ଙ୍କୁ ଆଉଟ୍ କରି ହର୍ଷିତ ରାଣା ପଦାର୍ପଣରେ ପ୍ରଥମ ସଫଳତା ହାସଲ କରିଥିଲେ। ଇନଫର୍ମ ତାରକା ବ୍ୟାଟର ହ୍ୟାରି ବ୍ରୁକ ଖାତା ଖୋଲି ପାରି ନ ଥିଲେ। ଦୀର୍ଘ ୧୫ ମାସ ପରେ ଦିନିକିଆକୁ ଫେରିଥିବା ତାରକା ବ୍ୟାଟର ଜୋ ରୁଟ୍(୧୯) ପାଭିଲିୟନ ଫେରିଥିଲେ।
ଅଧିନାୟକ ଜୋସ୍ ବଟଲର ଓ ଜ୍ୟାକବ ବେଥେଲ ଦଳର ବ୍ୟାଟିଂ ମଙ୍ଗ ସମ୍ଭାଳି ପଞ୍ଚମ ଓ୍ଵିକେଟ୍ରେ ୫୯ ରନ ଯୋଡ଼ିଥିଲେ। ବଟଲର ଆଉଟ୍ ହେବା ଇଂଲଣ୍ଡକୁ ବଡ଼ ଝଟକା ଦେଇଥିଲା। ବଟଲର ୬୭ ବଲରୁ ୪ ଚୌକା ସହ ୫୨ ରନର ଇନିଂସ ଖେଳି ଅକ୍ଷର ପଟେଲଙ୍କ ଶିକାର ହୋଇଥିଲେ। ଲିୟମା ଲିଭିଙ୍ଗଷ୍ଟୋନ ୫ ରନ କରି ନିରାଶ କରିଥିଲେ। ନିମ୍ନ କ୍ରମରେ ବେଥେଲ ୫୧ ରନର ଇନିଂସ ଖେଳି ଇଂଲଣ୍ଡର ସ୍କୋରକୁ ୪୭.୪ ଓଭରରେ ୨୪୮ ରନ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ। ଜୋଫ୍ରା ଆର୍ଚର ୧୮ ବଲରୁ ୨୧ ରନ କରି ଅପରାଜିତ ଥିଲେ।
ବୋଲିଂରେ ରବୀନ୍ଦ୍ରା ଜାଡ଼େଜା ୨୬ ରନ ଦେଇ ୩ଟି ସଫଳତା ପାଇଛନ୍ତି। ପଦାର୍ପଣ ମ୍ୟାଚ୍ରେ ହର୍ଷିତ ରାଣା ୭ ଓଭରରେ ୫୩ ରନ ଦେଇ ମହଙ୍ଗା ହୋଇଥିଲେ ହେଁ ୩ଟି ଓ୍ଵିକେଟ୍ ନେଇଥିଲେ। ମହମ୍ମଦ ଶାମି, ଅକ୍ଷର ପଟେଲ୍ ଓ କୁଲଦୀପ ଯାଦବଙ୍କୁ ପ୍ରତ୍ୟେକଙ୍କୁ ଲେଖାଏଁ ଓ୍ଵିକେଟ୍ ମିଳିଛି।