ଭୁବନେଶ୍ୱର: ରାଜ୍ୟକୁ ଶତ ପ୍ରତିଶତ ବିପର୍ଯ୍ୟୟ କ୍ଷତିପୂରଣ ଦେବା ସହିତ ରାଜ୍ୟକୁ ମିଳୁଥିବା ଟିକସକୁ ବୃଦ୍ଧି କରିବାକୁ ଷୋଡ଼ଶ ଅର୍ଥ ଆୟୋଗଙ୍କ ନିକଟରେ ଦାବି ରଖିଛନ୍ତି ରାଜ୍ୟ ସରକାର । ସେହିପରି ୧୨ ଲକ୍ଷ ୫୯ ହଜାର ୧୪୮ କୋଟି ଟଙ୍କା ଦାବି କରାଯାଇଛି । ରାଜ୍ୟର ଅର୍ଥନୈତିକ ସ୍ଥିତି ଏବଂ ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ନେଇ ଅର୍ଥ କମିଶନଙ୍କ ସହିତ ଆଲୋଚନା କରାଯାଇଛି ।
୪ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଷୋଡ଼ଶ ଅର୍ଥ କମିଶନଙ୍କ ସହ ରାଜ୍ୟ ସରକାରଙ୍କ ହୋଟେଲ ଆଇଟିସିରେ ଗୁରୁବାର ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବୈଠକ ପରେ ରାଜ୍ୟ ସରକାର ରଖିଥିବା ଦାବିଗୁଡ଼ିକ ବିଷୟରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବୈଠକରେ ରାଜ୍ୟର ଅର୍ଥନୈତିକ ସ୍ଥିତି ଏବଂ ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ନେଇ ଅର୍ଥ କମିଶନଙ୍କ ସହିତ ଆଲୋଚନା କରାଯାଇଛି । ରାଜ୍ୟର ବିକାଶମୂଳକ ଆବଶ୍ୟକତା, ଆର୍ଥିକ କ୍ଷମତା ଏବଂ ପ୍ରସ୍ତାବିତ ଆର୍ଥିକ ହସ୍ତାନ୍ତର ବ୍ୟବସ୍ଥାକୁ ଭିତ୍ତିକରି କମିଶନଙ୍କ ସମ୍ମୁଖରେ ଦାବି ଉପସ୍ଥାପନ କରାଯାଇଛି । ରାଜ୍ୟର ସମସ୍ତ ଆର୍ଥିକ ଦିଗ ଏବଂ ଆବଶ୍ୟକତାକୁ ଭିତ୍ତି କରି ଏକ ସ୍ମାରକପତ୍ର ଆକାରରେ କମିଶନଙ୍କ ସମ୍ମୁଖରେ ଲିଖିତ ଉପସ୍ଥାପନା ମଧ୍ୟ କରିଛୁ । କମିଶନ ଆମର ଉପସ୍ଥାପନକୁ ଅନୁକୂଳ ଭାବରେ ବିଚାର କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ୨୦୨୬-୨୦୩୧ ଯାଏଁ ପଞ୍ଚ ବାର୍ଷିକ ଯୋଜନା ମାଧ୍ୟମରେ ଏହା ପ୍ରତିଫଳିତ ହେବ ବୋଲି ଆଶା ଅଛି । ରାଜ୍ୟ ସରକାରଙ୍କ ଦାବିର ସାରାଂଶ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ହସ୍ତାନ୍ତର ପୂର୍ବରୁ ରାଜସ୍ୱ ନିଅଣ୍ଟ ( Pre Devolution Revenue Deficit) ଭରଣା ପାଇଁ ୯,୮୮,୪୨୨ କୋଟି ଟଙ୍କା, ରାଜ୍ୟର ନିର୍ଦ୍ଦିଷ୍ଟ ଆବଶ୍ୟକତା (State Specific Needs) ପୂରଣ ପାଇଁ ୧,୧୦,୪୩୪ କୋଟି ଟଙ୍କା, ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଲୋକାଲ ବଡି ମାନଙ୍କ ପାଇଁ ଅନୁଦାନ ବାବଦରେ ୧ ୩୬ କୋଟି ଟଙ୍କା, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ପାଇଁ ୩୧,୦୦୪ କୋଟି ଟଙ୍କା ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଏମଏଫ) ପାଇଁ ୨୯,୨୫୨ କୋଟି ଟଙ୍କା ଦାବି ରଖା ଯାଇଛି ।
ରାଜ୍ୟକୁ ମିଳୁଥିବା ଟିକସକୁ ବୃଦ୍ଧି କରିବା ଦାବି ହୋଇଛି । କେନ୍ଦ୍ର ସରକାରଙ୍କ ଟିକସ ଆୟରୁ ରାଜ୍ୟକୁ ମିଳୁଥିବା ୪୧%ରୁ ୫୦%କୁ ବୃଦ୍ଧି କରିବାକୁ ଦାବି ହୋଇଛି । ସେହିପରି କେନ୍ଦ୍ର ଟିକସ ବଣ୍ଟନରେ ଓଡ଼ିଶାର ଭାଗକୁ ମଧ୍ୟ ବୃଦ୍ଧି କରିବାକୁ ଦାବି ରହିଛି । କେନ୍ଦ୍ର ଟିକସର ରାଜ୍ୟମାନଙ୍କୁ ନିର୍ଦ୍ଧାରିତ ସୂତ୍ରରେ ବଣ୍ଟନ କରାଯାଏ । ଓଡ଼ିଶାର ୪.୫୨୮ ପ୍ରତିଶତ ଭାଗ ଓଡ଼ିଶା ପାଉଥିବାବେଳେ ଏହାକୁ ୪.୯୬୪ ପ୍ରତିଶତକୁ ବୃଦ୍ଧି କରିବାକୁ ଦାବି ରଖାଯାଇଛି । ମୋଟ ରାଜସ୍ୱ ପ୍ରାପ୍ତିର ୨ ପ୍ରତିଶତ ଗ୍ରାମୀଣ ଓ ସହରାଞ୍ଚଳ ପାଇଁ ସ୍ଥିର କରିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ଏହା ଦ୍ୱାରା ଅର୍ଥ ପଞ୍ଚାୟତିରାଜ ଓ ପୌର ଅଞ୍ଚଳ ପାଇଁ ସ୍ୱତନ୍ତ୍ର ଅନୁଦାନ ମିଳିପାରିବ ।
ସେହିପରି ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଓଡ଼ିଶା । ପ୍ରତିବର୍ଷ ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ୟ୍ୟୟ ଆସୁଥିବାରୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି (SDRF)କୁ ଶତ ପ୍ରତିଶତ ଆର୍ଥିକ ସହାୟତା ଦେବାକୁ ଦାବି ରଖାଯାଇଛି । ବର୍ତ୍ତମାନ ଏସଡିଆରଏଫକୁ ୭୫ ଭାଗ କେନ୍ଦ୍ର ଓ ୨୫ ଭାଗ ରାଜ୍ୟ ଦେଉଛି । କେନ୍ଦ୍ର ଶତ ପ୍ରତିଶତ ବହନ କରିବାକୁ ଦାବି ହୋଇଛି ।
ତେବେ ପୂର୍ବ ଅପେକ୍ଷା ଅଧିକ ଆର୍ଥିକ ସହାୟତା ଆସିବ ବୋଲି ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ । ୪ କୋଟି ୭୦ ଲକ୍ଷ ଲୋକଙ୍କୁ ଆଧାର କରି ସମୃଦ୍ଧ ଓଡିଶା ଗଠନ ପାଇଁ ଲକ୍ଷ୍ୟ ରଖାଯାଇଛି । ଭାରତର ଶ୍ରେଷ୍ଠ ୫ଟି ରାଜ୍ୟ ଭିତରେ ରହିବା ପାଇଁ ଲକ୍ଷ୍ୟ ରଖିଛି ଓଡ଼ିଶା ।
ଅନ୍ୟପକ୍ଷରେ ବୈଠକ ପରେ ଷୋଡ଼ଶ ଅର୍ଥ କମିଶନ ଅଧ୍ୟକ୍ଷ ଡକ୍ଟର ଅରବିନ୍ଦ ପାନଗେରିୟା ପ୍ରତିକ୍ରିୟାରେ କହିଛନ୍ତି, ସ୍ୱତନ୍ତ୍ର କାଟେଗୋରି ଏବଂ ସ୍ପେଶାଲ ଷ୍ଟାଟସ୍ ରାଜ୍ୟ ଅର୍ଥ କମିଶନଙ୍କ ଅଧିନରେ ଆସୁ ନାହିଁ । ନୀତି ଆୟୋଗଙ୍କ ଦ୍ଵାରା ଯୋଜନା ଆୟୋଗଙ୍କ କମିଶନର ଉଚ୍ଛେଦ ପରେ ଏ ବ୍ୟବସ୍ଥା ଆଉ ପ୍ରଚଳିତ ହେଉ ନାହିଁ । ଦେଶର କୌଣସି ରାଜ୍ୟ ଏ ସୁବିଧା ପାଉନାହାନ୍ତି, ଏନେଇ କୌଣସି ଟିପ୍ପଣୀ ଦେବାର ଅଧିକାର ଆମର ନାହିଁ ବୋଲି କହିଛନ୍ତି ଅଧ୍ୟକ୍ଷ ।