ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏକ ରୋମାଞ୍ଚକର ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରି ଆଇପିଏଲ-୨୦୨୪ ର ପ୍ଲେ ଅଫରେ ପ୍ରବେଶ କରିଛି । ତେବେ ବେଙ୍ଗାଲୁରୁ ବୁଧବାର ଏଲିମଟର ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ସାମ୍ନା କରିବ। ଏଲିମଟର ମ୍ୟାଚ ଜିତିବା ଦଳ କ୍ୱାଲିଫାୟର୍-୨ ଖେଳି ଫାଇନାଲରେ ପ୍ରବେଶ କରିବ । ଆରସିବିରେ ବିରାଟ କୋହଲି, ଫାଫ୍ ଡୁ ପ୍ଲେସିସ୍, ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଭଳି ଖେଳାଳି ଥିବାବେଳେ ରାଜସ୍ଥାନରେ ସଞ୍ଜୁ ସାମସନ, ୟୁଜବେନ୍ଦ୍ର ଚହଲ, ରବିଚନ୍ଦ୍ରନ ଅଶ୍ୱିନଙ୍କ ଭଳି ଅଭିଜ୍ଞ ଖେଳାଳି ଅଛନ୍ତି। ତେବେ ଦୁଇ ଦଳର କିଛି ଖେଳାଳି ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିପାରେ ।
ଏହି ସିଜିନରେ ବିରାଟ କୋହଲି ଭଲ ଫର୍ମରେ ଅଛନ୍ତି। ସେ ଚଳିତ ସିଜନରେ ସର୍ବାଧିକ ରନ ସ୍କୋର କରିଥିବା ବ୍ୟାଟ୍ସମ୍ୟାନ ତାଲିକାରେ ଏକ ନମ୍ବରରେ ଅଛନ୍ତି। କିନ୍ତୁ କୋହଲି ଲେଗ୍ ସ୍ପିନରଙ୍କୁ ଖେଳିବାରେ ସାମାନ୍ୟ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଲେଗ୍ ସ୍ପିନ୍ର କୋହଲିଙ୍କୁ ଅସୁବିଧାରେ ପକାଇଛନ୍ତି। ରାଜସ୍ଥାନରେ ୟୁଜବେନ୍ଦ୍ର ଚହଲଙ୍କ ପରି ଅଭିଜ୍ଞ ସ୍ପିନର କୋହଲିଙ୍କୁ ତାଙ୍କ ସ୍ପିନ ଜାଲରେ ଫସାଇ ପାରନ୍ତି । ତେଣୁ ଏହି ଯୁଦ୍ଧରେ କିଏ ବାଜି ମାରିବା ତାହା ବୁଧବାର ସନ୍ଧ୍ୟାରେ ଜଣା ପଡିବ ।
ରାଜସ୍ଥାନ ରୟାଲ୍ସର ଶକ୍ତିଶାଳୀ ବ୍ୟାଟିଂର ଆରମ୍ଭ କରିବେ ୟଶସ୍ଵୀ ଜେସୱାଲ। ଏହି ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ଅଟକାଇବା ପାଇଁ ଆରସିବି ପାଖରେ ମହମ୍ମଦ ସିରାଜଙ୍କ ପରି ଦ୍ରୁତ ବୋଲର ଅଛନ୍ତି। ପ୍ରାରମ୍ଭିକ ଓଭରରେ ଜେସୱାଲଙ୍କ ୱିକେଟ୍ ନେଇ ଗ୍ରାଉଣ୍ଡ ବାହାରକୁ ପଠାଇବାକୁ ଚେଷ୍ଟା କରିବେ ସିରାଜ।
ଆରସିବିର ଅଧିନାୟକ ଫାଫ୍ ଡୁ ପ୍ଲେସିସ୍, ବିରାଟ କୋହଲିଙ୍କ ସହ ଓପନିଂ କରିବେ । ରାଜସ୍ଥାନର ସନ୍ଦୀପ ଶର୍ମା ପାୱାରପ୍ଲେରେ ନିଜର ଶକ୍ତିଶାଳୀ ବୋଲିଂ ପାଇଁ ବେଶ ଜଣାଶୁଣା । ତେବେ ଡୁ ପ୍ଲେସିସ୍ ଙ୍କ ୱିକେଟ୍ ଉପରେ ସନ୍ଦୀପଙ୍କ ନଜର ରହିବ।
ଗ୍ଲେନ୍ ମ୍ୟାକ୍ସୱେଲ ମଧ୍ୟ ଦ୍ରୁତ ଗତିରେ ରନ ସ୍କୋର କରିପାରନ୍ତି। ଗୋଟିଏ ପଟେ ବ୍ୟାଟିଂ କରି ମ୍ୟାଚ ଜିତିବାର କ୍ଷମତା ତାଙ୍କ ପାଖରେ ରହିଛି । ଯାହାର ପ୍ରମାଣ ୨୦୨୩ ଦିନିକିଆ ବିଶ୍ୱକପରେ ଆମେ ଦେଖିବାକୁ ପାଇଛେ । ତେବେ ମ୍ୟାକ୍ସୱେଲ ଙ୍କୁ ଅଟକାଇବା ପାଇଁ ରାଜସ୍ଥାନ ପାଖରେ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଅଛନ୍ତି । ଅଶ୍ୱିନଙ୍କ ବିରୋଧରେ ବଡ ସଟ୍ ଖେଳିବାକୁ ଯାଇ ଅଶ୍ୱିନଙ୍କ ଜାଲରେ ଫସିପାରନ୍ତି ମ୍ୟାକ୍ସୱେଲ ।
ଅଧିକ ପଢନ୍ତୁ : ଟି୨୦ ବିଶ୍ୱକପରେ ଶତକ କରିଥିବା ଖେଳାଳିଙ୍କ ଭିତରେ ଅଛନ୍ତି ଜଣେ ଭାରତୀୟ