ନୂଆଦିଲ୍ଲୀ: ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଭାରତୀୟ ମହିଳା କ୍ରିକେଟ୍ ଦଳ ତାହା କରି ଦେଖାଇଛି ଯାହା ଆଜି ପର୍ଯ୍ୟନ୍ତ ହୋଇ ନ ଥିଲା । ସଫଳତାର ଏମିତି ଶିଖର ଛୁଇଁଛନ୍ତି ଯାହା ଅତୀତରେ ଦଳ ଦ୍ୱାର ଦେଶରେ ପହଞ୍ଚି ବିଫଳ ରହିଥିଲା । ପ୍ରଥମ ଥର ମହିଳା ବିଶ୍ୱ ଚାମ୍ପିଅନ ହୋଇଛି । ଆଇସିସି ଟ୍ରଫି ମରୁଡିର ଅନ୍ତ ଘଟିଛି । ପୂରା ଦେଶ ଉତ୍ସବ ମନାଉଛି । ଏହା ମଧ୍ୟରେ ପୂର୍ବତନ ଅଧିନାୟକ ଶାନ୍ତା ରଙ୍ଗାସ୍ୱାମୀ ଏକ ଚକିତ କରି ଦେବା ଭଳି ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ହରମନପ୍ରୀତ କୌରଙ୍କ ସ୍ଥାନରେ ଏବ ସ୍ମୃତି ମନ୍ଧାନାଙ୍କୁ ଅଧିନାୟକତ୍ୱ ଦେଇ ଦେବା ଉଚିତ୍ ।
ଯଦି ଏମିତି ହୁଏ ତେବେ ହରମନଙ୍କ ଦଶା ଠିକ୍ ରୋହିତ ଶର୍ମାଙ୍କ ପରି ହେବ । ରୋହିତ ଆଇସିସି ଟ୍ରଫି ଜିତିବା ପରେ ତାଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଇ ଦିଆଗଲା । ଚଳିତ ବର୍ଷ ମାର୍ଚ୍ଚରେ ହିଟମ୍ୟାନଙ୍କ ନେତୃତ୍ୱରେ ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା । ସେହି ସମୟରେ କେହି ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲେ ଯେ, ଦିନିକିଆରୁ ରୋହିତଙ୍କଠୁ ଅଧିନାୟକତ୍ୱ ଛଡାଇ ନିଆଯିବ । ଅଷ୍ଟ୍ରେଲିଆ ଗସ୍ତରେ ରୋହିତ ଜଣେ ଖେଳାଳି ଭାବେ ଗଲେ ଏବଂ ଦମଦାର ପ୍ରଦର୍ଶନ କରି ପ୍ଲେୟାର ଅଫ ଦ ସିରିଜ୍ ବିବେଚିତ ହେଲେ । ରୋହିତ ଶର୍ମାଙ୍କ ବୟସ ସାଢେ ୩୮ ବର୍ଷ ଏବଂ ହରମନଙ୍କ ବୟସ ୩୬ ବର୍ଷ । ରୋହିତ ଶର୍ମାଙ୍କୁ ବୟସର ତର୍କ ଦେଇ ଅଧିନାୟକ ପଦରୁ ହଟାଇ ଦିଆଗଲା ।
ମହିଳା କ୍ରିକେଟର ପୂର୍ବତନ ବରିଷ୍ଠ ଖେଳାଳି ଶାନ୍ତା ରଙ୍ଗାସ୍ୱାମୀ ପରାମର୍ଶ ଦେଇଛନ୍ତି ଯେ, ଅଧିନାୟକ ବଦଳା ଯିବାର ଏହା ପ୍ରକୃଷ୍ଟ ସମୟ । ତାଙ୍କ ମତରେ ଭାରତୀୟ କ୍ରିକେଟର ଉନ୍ନତି ପାଇଁ ହରମନପ୍ରୀତ କୌରଙ୍କୁ ଅଧିନାୟକ ପଦରୁ ଇସ୍ତଫା ଦେଇ ଦେବା ଉଚିତ୍ । ଏଥିରେ ତାଙ୍କୁ ଫାଇଦା ବି ହେବ ଏବଂ ସେ ନିଜର ବ୍ୟାଟିଂ ଓ ଫିଲ୍ଡିଂରେ ଦଳ ପାଇଁ ସବୁଠୁ ମୂଲ୍ୟବାନ ଖେଳାଳି ହୋଇ ରହିବେ ।
ରଙ୍ଗାସ୍ୱାମୀ ପିଟିଆଇ ସହ ଆଲୋଚନା ବେଳେ କହିଛନ୍ତି, ହରମନ ବ୍ୟାଟର ଏବଂ ଫିଲ୍ଡର ଭାବେ ଜଣେ ଦମଦାର ଖେଳାଳି । ମାତ୍ର ବେଳେ ବେଳେ ରଣନୈତିକ ଭାବେ ସେ ପ୍ରଦର୍ଶନ କରି ପାରି ନାହାନ୍ତି । ମୋତେ ଲାଗୁଛି ଏବେ ସେ ବିନା ଅଧିନାୟକତ୍ୱରେ ଦଳରେ ଅଧିକ ଯୋଗଦାନ ଦେଇ ପାରିବେ । ଭାରତୀୟ ଦଳର ଭବିଷ୍ୟତକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବା ଉଚିତ୍ । ପରବର୍ତ୍ତୀ ଦିନିକିଆ ବିଶ୍ୱକପ୍ ୨୦୨୯ରେ ଏବଂ ଟି-୨୦ ବିଶ୍ୱକପ୍ ଆସନ୍ତା ବର୍ଷ ବ୍ରିଟେନରେ ଖେଳାଯିବ ।
ଏହି ପୂର୍ବତନ ତାରକା ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଅଧିନାୟକ କରିବାକୁ ପରାମର୍ଶ ଦେଇଛନ୍ତି । ସେ ମନ୍ଧାନାଙ୍କୁ ପ୍ରତି ଫର୍ମାଟରେ ସ୍ୱାଭାବିକ ଭାବେ ଉଚିତ୍ ଉତ୍ତରାଧିକାରୀ ଦର୍ଶାଇଛନ୍ତି ।
Also read: ବିଶ୍ଵ ଚାମ୍ପିଅନ ଟିମ୍ ଇଣ୍ଡିଆକୁ ଭେଟିବେ ପିଏମ ମୋଦୀ, ଖେଳାଳିଙ୍କ ସହ କରିବେ ବ୍ରେକଫାଷ୍ଟ