କାନପୁର: ଭାରତ ଓ ବାଂଲାଦେଶ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ଦ୍ୱିତୀୟ ତଥା ଅନ୍ତିମ ମ୍ୟାଚ୍ ଆଜି ଉତ୍ତର ପ୍ରଦେଶର କାନପୁରସ୍ଥିତ ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳାଯାଉଛି। ଚେନ୍ନାଇରେ ଖେଳାଯାଇଥିବା ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ବିଜୟୀ ହୋଇଛି। ଏବେ କାନପୁରରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟଜିତି ବାଂଲାଦେଶକୁ ଭାରତ ମୂଳପୋଛ କରିବାକୁ ଚାହିଁବ। ତେବେ କାନପୁରରେ ବର୍ଷା ଯୋଗୁଁ ପଡ଼ିଆ ଓଦା ଥିବାରୁ ମ୍ୟାଚ୍ ନର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ଖେଳାଯିବାର ଅନୁମାନ କରାଯାଉଛି।
ଏହା ପୂର୍ବରୁ ୨୦୨୧ ନଭେମ୍ବରରେ ଏହି ପଡ଼ିଆରେ ଶେଷ ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା। ଏବେ ଟିମ୍ ଇଣ୍ଡିଆ ପୁଣି ଥରେ କାନପୁର ଫେରୁଛି। କାନପୁରରେ ଖେଳାଯାଇଥିବା ଟେଷ୍ଟରେ ଭାରତର ଚୂଡ଼ାନ୍ତ ଏକାଦଶରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଚେନ୍ନାଇରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତୀୟ ଦଳ ୩ ଜଣ ଦ୍ରୁତ ବୋଲର ଓ ୨ ଜଣ ସ୍ପିନରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇଥିଲା।
ଏବେ କାନପୁରରେ ବିପରୀତ ହୋଇପାରେ, ଏଠାରେ ଟିମ୍ ଇଣ୍ଡିଆ ୩ ସ୍ପିନର ଓ ୨ ଦ୍ରୁତ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇପାରେ। ମିଳିଥିବା ସୂଚନା ଅନୁଯାୟୀ କାନପୁରରେ ହେବାକୁ ଥିବା ଟେଷ୍ଟ କଳା ମାଟି ପିଚ୍ରେ ଖେଳାଯିବ। କଳା ମାଟି ପିଚ୍ରେ ସ୍ପିନରମାନେ ଅଧିକ ପ୍ରଭାବଶାଳୀ। ଏଭଳି ସ୍ଥିତିରେ କୁଲଦୀପ ଯାଦବଙ୍କୁ କାନପୁରରେ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇପାରେ।
ଚେନ୍ନାଇ ଟେଷ୍ଟରେ ୩ ଜଣ ଦ୍ରୁତ ବୋଲର ମହମ୍ମଦ ସିରାଜ, ଆକାଶ ଦୀପ ଓ ଯଶପ୍ରୀତ ବୁମରା ନଜର ଆସିଥିଲେ। ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ୱିନ ସ୍ପିନର ଥିଲେ।
ଭାରତୀୟ ଟିମ୍
ରୋହିତ ଶର୍ମା (ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ଶୁଭମନ ଗିଲ, ବିରାଟ କୋହଲି, କେଏଲ ରାହୁଲ, ସରଫରାଜ ଖାନ୍, ଋଷଭ ପନ୍ତ (ୱିକେଟ୍ ରକ୍ଷକ), ଧ୍ରୁବ ଜୁରେଲ୍ (ୱିକେଟ୍ ରକ୍ଷକ), ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଆକାଶ ଦୀପ, ଯଶପ୍ରୀତ ବୁମରା, ୟଶ ଦୟାଲ।
ବାଂଲାଦେଶ ଟିମ୍
ନଜମୁଲ ହାସନ ଶାଣ୍ଟୋ (ଅଧିନାୟକ), ମହମୁଦୁଲ ହାସନ ଜୋୟ, ଜାକିର ହାସନ, ଶାଦମାନ ଇସଲାମ, ମୋମିନୁଲ ହକ୍, ମୁସ୍ଫିକୁର ରହିମ, ସାକିବ ଅଲ ହାସନ, ଲିଟନ ଦାସ, ମେହେଦି ହାସନ ମିରାଜ, ତାଇଜୁଲ ଇସଲାମ, ନଇମ ହାସନ, ନାହିଦ ରାଣା, ହାସନ ମହମୁଦ, ତାସ୍କିନ୍ ଅହମ୍ମଦ, ସୟଦ ଖାଲିଦ ଅହମ୍ମଦ ଓ ଜାକିର ଅଲ୍ଲୀ ଅନିକ।
ଅଧିକ ପଢ଼ନ୍ତୁ: ନୂଆ ଅଧିନାୟକ ସନ୍ଧାନରେ ଗୁଜୁରାଟ ଟାଇଟନ୍ସ