ନୂଆଦିଲ୍ଲୀ: ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍ ସେଞ୍ଚରିୟନରେ ଖେଳାଯିବ । ଏହି ମୁକାବିଲା ଭାରତୀୟ ସମୟ ରାତି ୮ଟା ୩୦ରେ ଆରମ୍ଭ ହେବ । ସିରିଜ ବର୍ତ୍ତମାନ ୧-୧ ବରାବର ସ୍ଥିତିରେ ରହିଛି । ଭାରତ ପ୍ରଥମ ମ୍ୟାଚ୍ ଜିତିଥିବା ବେଳେ ଘରୋଇ ଦଳ ଦ୍ୱିତୀୟ ମ୍ୟାଚ୍ ଜିତି ସିରିଜକୁ ସମାନ ସ୍ତରକୁ ଆଣିବାରେ ସଫଳ ହୋଇଛି । ଆଜି ତୃୃତୀୟ ମ୍ୟାଚ୍ ବେଶ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ।
ସେଞ୍ଚରିୟନର ସୁପର ସ୍ପୋର୍ଟ୍ସ ପିଚ୍ ସର୍ବଦା ଦ୍ରୁତ ବୋଲରଙ୍କୁ ସୁହାଇ ଆସିଛି । ଏଠାକାର ପିଚରେ ଗତି ରହିବା ସହ ବାଉନ୍ସ ଦେଖିବାକୁ ମିଳିଥାଏ । ତେଣୁ ଦ୍ରୁତ ବୋଲରଙ୍କୁ ପିଚରୁ ବେଶ ଫାଇଦା ମିଳିଥାଏ । ତେଣୁ ଟସ୍ ଜିତିବା ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇ ପାରନ୍ତି । କାରଣ ପିଚ୍ ସତେଜ ଥାଏ ଏବଂ ଏଥିରେ ଦ୍ରୁତ ବୋଲରଙ୍କୁ ଗତି ମିଳିଥାଏ ।
ପ୍ରଥମ ମ୍ୟାଚକୁ ଭାରତ ଏକତରଫା ଭାବେ ୬୧ ରନରେ ଜିତି ନେଇଥିଲା । କିନ୍ତୁ ଦ୍ୱିତୀୟ ମ୍ୟାଚ୍ ବେଶ ସଂଘର୍ଷପୂର୍ଣ୍ଣ ରହିଥିଲା, ଯାହାକୁ ଘରୋଇ ଦଳ ୩ ୱିକେଟରେ ଜିତି ନେଇଥିଲା । ଆଜି ମ୍ୟାଚ୍ ଜିତି ସିରିଜରେ ଅଗ୍ରଣୀ ହାସଲ ଲକ୍ଷ୍ୟରେ ଉଭୟ ଦଳ ପଡିଆକୁ ଓହ୍ଲାଇବେ । ଘରୋଇ ପରିବେଶରେ ଖେଳୁଥିବାରୁ ଆଜିର ମ୍ୟାଚରେ ଆୟୋଜକ ଦଳର ପଲ୍ଲା କିଛିଟା ଭାରି ରହିଛି । କିନ୍ତୁ ଦକ୍ଷିଣ ଆଫ୍ରିକା ମାଟିରେ ଭାରତୀୟ ଦଳର ଟି-୨୦ ପ୍ରଦର୍ଶନ ଦମଦାର ରହିଛି । ତେଣୁ ଆଜି ମୁକାବିଲାରେ କଡା ଟକ୍କର ଦେଖିବାକୁ ମିଳିପାରେ ।
ଭାରତ ଓ ଦକ୍ଷିଣ ଆଫ୍ରିକାର ସମ୍ଭାବିତ ଚୂଡାନ୍ତ ଏକାଦଶ
ସଞ୍ଜୁ ସାମସନ(ୱିକେଟ୍ କିପର), ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ତିଳକ ବର୍ମା, ରିଙ୍କୁ ସିଂ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବି ବିଷ୍ଣୋଇ, ବରୁଣ ଚକ୍ରବର୍ତ୍ତୀ, ଅଭେଶ ଖାନ ଓ ଅର୍ଶଦୀପ ସିଂ ।
ରିଜା ହେଣ୍ଡରିକ୍ସ, ରିୟାନ ରିକେଲଟନ, ଆଡନ ମାରକ୍ରମ(ଅଧିନାୟକ), ଟ୍ରିଷ୍ଟନ ଷ୍ଟବ୍ସ, ହେନରିକ କ୍ଲାସେନ(ୱିକେଟ୍ କିପର), ଡେଭିଡ ମିଲର, ମାର୍କୋ ୟନସେନ, କେଶବ ମହାରାଜ, ଆଣ୍ଡିଲେ ସିମେଲେନ, ଗେରାଲ୍ଡ କୋଏତଜି ଓ ନକାବାୟୋମଜି ପିଟର ।