କୋଲକାତା: ଗତ ତିନି ବର୍ଷ ତଳେ ବିସିସିଆଇର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ସୌରଭ ଗାଙ୍ଗୁଲି । ହେଲେ ଏବେ ପୁଣି ଥରେ ପ୍ରଶାସକ ଦୁନିଆକୁ ଫେରିବା ଉପରେ ବିଚାର କରୁଛନ୍ତି ଭାରତୀୟ କ୍ରିକେଟ୍ ଦଳର ଏହି ପୂର୍ବତନ ଅଧିନାୟକ । ଗାଙ୍ଗୁଲି ପଶ୍ଚିମବଙ୍ଗ କ୍ରିକେଟ୍ ସଂଘ ଅର୍ଥାତ ସିଏବିର ଆଗାମୀ ନିର୍ବାଚନରେ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରି ପାରନ୍ତି । ସଂଘର ଅଧିକାରୀ କହିଛନ୍ତି, ସେ ପୁଣି ଥରେ ଅଧ୍ୟକ୍ଷ ହେବାକୁ ଉତ୍ସୁକ ।
୫୨ ବର୍ଷୀୟ ଗାଙ୍ଗୁଲି ୨୦୧୯ ପର୍ଯ୍ୟନ୍ତ ସିଏବିର ଅଧ୍ୟକ୍ଷ ଥିଲେ । ସେ ୨୦୧୪ରେ ଦିବଙ୍ଗତ ଜଗମୋହନ ଡାଲମିୟାଙ୍କ ନେତୃତ୍ୱରେ ରାଜ୍ୟ କ୍ରିକେଟ ସଂଘର ସଂପାଦକ ଭାବେ କାର୍ଯ୍ୟକାଳ ଆରମ୍ଭ କରିଥିଲେ । ଏହା ପରେ ୨୦୧୯ରେ ସର୍ବସମ୍ମତିକ୍ରମେ ବିସିସିଆଇର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ବିସିସିଆଇ ଅଧ୍ୟକ୍ଷ ଭାବେ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ପୂରିବା ପରେ ତାଙ୍କ ସ୍ଥାନରେ ୧୯୮୩ ବିଶ୍ୱକପର ନାୟକ ରୋଜର ବିନ୍ନିଙ୍କୁ ଦାୟିତ୍ୱ ମିଳିଥିଲା । ବିନ୍ନିଙ୍କ କାର୍ଯ୍ୟକାଳ ପ୍ରାୟତଃ ସରି ଯାଇଛି କାରଣ ତାଙ୍କର ବୟସ ୭୦ ବର୍ଷ ହୋଇ ସାରିଛି ।
ଜଣେ ବରିଷ୍ଠ ଅଧିକାରୀଙ୍କ ମତରେ ଗାଙ୍ଗୁଲି ପ୍ରଶାସନିକ ସିଷ୍ଟମରେ ପ୍ରତ୍ୟାବର୍ତ୍ତନ ପାଇଁ ଉତ୍ସୁକ । ସେ ସିଏବି ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିବା ପାଇଁ ମନସ୍ଥ କରିଛନ୍ତି । ଯଦି ବିସିସିଆଇର ସମ୍ବିଧାନ ଦେଖାଯିବ ତେବେ ଗାଙ୍ଗୁଲିଙ୍କ ପାଖରେ ପ୍ରଶାସନିକ ପଦରେ କାର୍ଯ୍ୟ ପାଇଁ ୫ ବର୍ଷ ରହିଛି । ସେ ସର୍ବସମ୍ମତି କ୍ରମେ ନିର୍ବାଚିତ ହେବେ ନା ନିର୍ବାଚନ ହେବ ତାହା ସ୍ପଷ୍ଟ ହୋଇ ନାହିଁ ।
ସିଏବିର ବର୍ତ୍ତମାନ ଅଧ୍ୟକ୍ଷ ଅଛନ୍ତି ସୌରଭ ଗାଙ୍ଗୁଲିଙ୍କ ବଡ ଭାଇ ସ୍ନେହାଶିଷ ଗାଙ୍ଗୁଲି । ସେ ଛଅ ବର୍ଷ ଏହି ପଦରେ ରହିଲେଣି । ତେଣୁ ଲୋଧା କମିଟିର ସୁପାରିଶ କରିଥିବା ସମ୍ବିଧାନ ଅନୁସାରେ ବାଧ୍ୟତାମୂଳକ ଭାବେ ସ୍ନେହାଶିଷଙ୍କୁ ପଦରୁ ଅବ୍ୟାହତି ନେବାକୁ ପଡିବ ।