ମୁୁମ୍ବାଇ: ନ୍ୟୁଜିଲାଣ୍ଡ ତୃତୀୟ ଟେଷ୍ଟରେ ଘରୋଇ ଭାରତକୁ ୨୫ ରନରେ ହରାଇ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିିରିକୁ ୩-୦ରେ କ୍ଲିନ ସୁଇପ୍ କରିଛି । ଭାରତୀୟ ଦଳର ଜଜ୍ଜାଜନକ ପରାଜୟ ସହିତ ରୋହିତ ଶର୍ମାଙ୍କ ନାଁରେ ଏକ ଅଲୋଡା ରେକର୍ଡ ଲିପିବଦ୍ଧ ହୋଇଯାଇଛି । ଘରୋଇ ମାଟିରେ ଟେଷ୍ଟ ସିରିଜକୁ ୩-୦ରେ ହାରିବାରେ ରୋହିତ ଶର୍ମା ପ୍ରଥମ ଅଧିନାୟକ ହେବାର ଅପକୀର୍ତ୍ତି ଅର୍ଜିଛନ୍ତି । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ କଳଙ୍କର ଛିଟା ଲାଗିଛି ।
ନିଜ ଦେଶରେ ଟେଷ୍ଟ ସିରିଜରେ ମୂଳପୋଛ ହେବା ଭାରତୀୟ ଦଳର ଟେଷ୍ଟ ଇତିହାସରେ ଏମିତି ପ୍ରଥମ ଥର ଘଟିଛି । ଭାରତ ତିନି କିମ୍ବା ସେଥିରୁ ଅଧିକ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଏ ପର୍ଯ୍ୟନ୍ତ ହ୍ୱ୍ୱାଇଟ ୱାସ ହୋଇ ନ ଥିଲା । ନ୍ୟୁଜିଲାଣ୍ଡ ଇତିହାସ ରଚିବା ସହ ଭାରତକୁ ଟେଷ୍ଟ ସିରିଜରେ ୩-୦ରେ ହରାଇବାରେ ଦୁନିଆର ଚତୁର୍ଥ ଦଳ ହୋଇଛି । ଏହା ପୂର୍ବରୁ ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ ଭାରତରେ ଏମିତି ଐତିହାସିକ ବିଜୟ ହାସଲ କରିଥିଲେ ।
ରୋହିତ ପରାଜୟ ପରେ ନିଜର ଭୁଲ୍ ସ୍ୱୀକାର କରିଛନ୍ତି । ସେ କହିଛନ୍ତି, ଆମେ ବହୁତ ନିରାଶଜନକ ପ୍ରଦର୍ଶନ କରିଛୁ । ଟେଷ୍ଟ ସିରିଜରେ ଏମିତି ପରାଜୟକୁ ସହଜରେ ଗ୍ରହଣ କରିହେବ ନାହିଁ । ଆମେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ପାରିଲୁ ନାହିଁ । ବିରୋଧୀ ନ୍ୟୁଜିଲାଣ୍ଡ ଆମଠୁ ବହୁତ ଉନ୍ନତ ପ୍ରଦର୍ଶନ କରିଛି । ଆମେ ମ୍ୟାଚରେ ବହୁତ ଭୁଲ୍ କରିଛୁ । ଆଉ ଏହାକୁ ମୁଁ ସ୍ୱୀକାର କରୁଛି ବୋଲି ରୋହିତ ଶର୍ମା କହିଛନ୍ତି ।
ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜରେ ବେଙ୍ଗାଲୁରୁରେ ଖେଳାଯାଇଥିବା ପ୍ରଥମ ମ୍ୟାଚକୁ ୮ ୱିକେଟରେ ଜିତିଥିଲା । ଏହା ପରେ ପୁଣେରେ ଆୟୋଜିତ ଦ୍ୱିତୀୟ ଟେଷ୍ଟକୁ ୧୧୩ ରନରେ ଜିତିଥିଲା । ଆଜି ମୁମ୍ବାଇରେ ଖେଳା ଯାଇଥିବା ତୃତୀୟ ଟେଷ୍ଟରେ ୨୫ ରନରେ ବିଜୟ ହାସଲ କରିଛି ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଦଳ ।