ଚଣ୍ଡିଗଡ: ଟାଇଟଲ ଦାବିଦାର ଭାବେ ଅଭିଯାନ ଆରମ୍ଭ କରିଥିବା ଶୁଭମନ ଗିଲଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟନ୍ସ ଏବେ ଅଗ୍ନି ପରୀକ୍ଷାର ବେଳ । ଆଇପିଏଲ ୨୦୨୫ର ଏଲିମିନେଟର ମୁକାବିଲାରେ ଆଜି ଗୁଜରାଟ ଟାଇଟନ୍ସ ମୁଲ୍ଲାନପୁରରେ ୫ ଥରର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ସହ ମୁକାବିଲା କରିବ ।
ଏଲିମିନେଟରରେ ପରାଜିତ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବ ଏବଂ ବିଜେତା ଦଳ ଦ୍ୱିତୀୟ କ୍ୱାଲିଫାୟରରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ । ଗୁରୁବାର ଖେଳା ଯାଇଥିବା ପ୍ରଥମ କ୍ୱାଲିଫାୟରରେ ପଞ୍ଜାବ କିଙ୍ଗ୍ସକୁ ହରାଇ ଆରସିବି ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି । ଅନ୍ୟପଟେ ଖରାପ ଆରମ୍ଭ କରିବା ପରେ ବି ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫରେ ପହଞ୍ଚିବାରେ ସଫଳ ହୋଇଛି ।
ଗୁଜରାଟ ଟାଇଟନ୍ସ ଗତ ୪ଟି ସିଜିନରୁ ତୃତୀୟ ଥର ପ୍ଲେ ଅଫରେ ପ୍ରବେଶ କରିଛି । ୨୦୨୨ରେ ପଦାର୍ପଣ କରି ଟାଇଟଲ୍ ଜିତିଥିଲା ଗୁଜରାଟ । ତେବେ ଆଜିର ଏଲିମିନେଟର ମୁକାବିଲାରେ ଗିଲ୍ ଓ ହାର୍ଦ୍ଦିକଙ୍କ ନେତୃତ୍ୱ ପାଇଁ ବଡ ପରୀକ୍ଷାର ଦିନ । ଯଦି ଗୁଜରାଟ ଟାଇଟଲ୍ ଜିତେ ତେବେ ଭାରତର ନବ ନିଯୁକ୍ତ ଟେଷ୍ଟ ଅଧିନାୟକ ଶୁଭମନ ଗିଲଙ୍କ ଅଧିନାୟକ ଭାବେ ସମ୍ମାନ ମଜବୁତ ହେବ ।
ହାର୍ଦ୍ଦିକଙ୍କୁ ଗତ ବର୍ଷ ଦଳକୁ ପ୍ରତ୍ୟାବର୍ତ୍ତନ କରି ରୋହିତଙ୍କ ଜାଗାରେ ଅଧିନାୟକ ପଦ ନେବା ନେଇ ହୁଟିଂର ସାମ୍ନା କରିବାକୁ ପଡିଥିଲା । କିନ୍ତୁ ଏଥର ତାଙ୍କୁ ପ୍ରଶଂସକଙ୍କ ଭଲ ପାଇବା ମିଳିଛି ଏବଂ ଆଇପିଏଲ ଟ୍ରଫି ଜିତିଲେ ନିଜ ନେତୃତ୍ୱକୁ ଆହୁରି ବଳିଷ୍ଠ କରି ପାରିବେ ।
ଟାଇଟନ୍ସ ପାଇଁ ଅଧିକ ଚିନ୍ତାର ବିଷୟ ଏହା ଯେ, ପ୍ଲେ ଅଫ ପୂର୍ବରୁ ଦଳ ନିଜର ଲୟ ହରାଇ ଦେଇଛି । ଦଳ ନିଜର ଗତ ଦୁଇଟି ମ୍ୟାଚ୍ ହାରିବା ସହ ବିରୋଧୀ ଦଳକୁ ୪୬୫ ରନ କରିବାକୁ ଦେଇଛି । ତେଣୁ ପ୍ଲେ ଅଫ ମୁକାବିଲାରେ ଦଳକୁ ବୋଲିଂରେ ଉନ୍ନତ ପ୍ରଦର୍ଶନ କରିବାକୁ ପଡିବ । ତେବେ ବ୍ୟାଟିଂରେ ଦଳକୁ ଜୋସ ବଟଲରଙ୍କ ଅନୁପସ୍ଥିତି ଖୁବ୍ ଅନୁଭୂତ ହେବ । ଦଳର ବ୍ୟାଟିଂ କ୍ରମ ଟପ ଅର୍ଡର ଉପରେ ଅଧିକ ନିର୍ଭରଶୀଳ । ବଟଲରଙ୍କ ବିକଳ୍ପ ଭାବେ କୁଶଲ ମେଣ୍ଡିସଙ୍କୁ ଦଳରେ ସାମିଲ କରାଯାଇଛି । ଦେଖିବାକୁ ବାକି ରହିଲା, ସେ ଇଂଲଣ୍ଡର ଏହି ତାରକା ବ୍ୟାଟରଙ୍କ ଅନୁପସ୍ଥିତିକୁ କେମିତି ପୂରା କରିବେ ।
ଅନ୍ୟପଟେ ମୁମ୍ବାଇ ପାଇଁ ସମସ୍ୟାର ବିଷୟ, ଭଲ ଫର୍ମରେ ଥିବା ରିୟାନ ରିକଲଟନ ସ୍ୱଦେଶ ଫେରି ଯାଇଛନ୍ତି । ସେ ରୋହିତ ଶର୍ମାଙ୍କ ସହ ଭଲ ଆରମ୍ଭ ଦେଉଥିଲେ । ତେବେ ଆଜିର ମ୍ୟାଚରେ ରୋହିତ ଶର୍ମାଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡିବ । ଦଳ ପୁଣି ଥରେ ସୂର୍ଯ୍ୟକୁମାର ଯାଦବଙ୍କଠୁ ବଡ ଇନିଂସ ଆଶା କରିବ । କାରଣ ଚଳିତ ସିଜିନରେ ସୂର୍ଯ୍ୟ ଦଳର ବ୍ୟାଟିଂ ମୋର୍ଚ୍ଚା ସମ୍ଭାଳିଛନ୍ତି । ମଧ୍ୟକ୍ରମରେ ତିଳକ ବର୍ମାଙ୍କ ଫର୍ମ ମୁମ୍ବାଇ ପାଇଁ ମଧ୍ୟ ଚିନ୍ତାର କାରଣ ପାଲଟିଛି । ମୋଟାମୋଟି ଆଜିର ମ୍ୟାଚ୍ ବେଶ ରୋମାଞ୍ଚକର ହେବାକୁ ଯାଉଛି ।