ପାଟନା ; ବିହାର ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭାରତର ଷ୍ଟାର କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଭେଟିଛନ୍ତି। ଉଭୟଙ୍କ ଏହି ସାକ୍ଷାତ ପାଟନାର ବିମାନବନ୍ଦରରେ ହୋଇଛି । ଏଠାରେ ବୈଭବଙ୍କ ବାପାମାଆ ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦି ନିଜେ ବୈଭବ ଏବଂ ତାଙ୍କ ପରିବାର ସହିତ ତାଙ୍କର ସାକ୍ଷାତର ଫଟୋ ନଜର ‘ଏକ୍ସ’ ଆକାଉଣ୍ଡରେ ସେୟାର କରିଛନ୍ତି ।
୧୪ ବର୍ଷୀୟ ବୈଭବ ଏହି ସିଜିନରେ ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରି ପ୍ରଶଂସା ସାଉଁଟିଛନ୍ତି । ବିହାରର ବୈଭବ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ସମୟରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ 35 ବଲ୍ ରେ ଶତକ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ଆଇପିଏଲରେ ଦ୍ରୁତତମ ଶତକ ହାସଲ କରିବାରେ ସର୍ବକନିଷ୍ଠ ଭାରତୀୟ ଖେଳାଳି ଭାବେ କିର୍ତ୍ତୀମାନ ସ୍ଥାପନ କରିଛନ୍ତି ।
ବୈଭବ ଏବଂ ତାଙ୍କ ପରିବାର ସହିତ ଏକ ଫଟୋ ସେୟାର କରି ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି, 'ପାଟନା ବିମାନବନ୍ଦରରେ ଯୁବ କ୍ରିକେଟ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ପରିବାରକୁ ଭେଟିଲି।' ତାଙ୍କର କ୍ରିକେଟ ଦକ୍ଷତା ସାରା ଦେଶରେ ପ୍ରଶଂସିତ ! ତାଙ୍କର ଆଗାମୀ ଭବିଷ୍ୟତ ପାଇଁ ମୋର ଶୁଭେଚ୍ଛା ବୋଲି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।