ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ସବୁଠୁ ସଫଳତମ ଦଳ ମଧ୍ୟରୁ ଏକ ହେଉଛି ମୁମ୍ବାଇ ଇଣ୍ଡିଆନ୍ସ । ଦଳ ପାଞ୍ଚ ଥର ଟାଇଟଲ୍ ଜିତିଛି । ହେଲେ ଥରୁଟିଏ ବି ମୁମ୍ବାଇ ଏଲିମିନେଟର ଖେଳିବା ପରେ ଟ୍ରଫି ଜିତି ପାରିନି । ଆଇପିଏଲ୍ ୨୦୨୫ରେ ମୁମ୍ବାଇ ଏଲିମିନେଟର ଜିତି କ୍ୱାଲିଫାୟର-୨ରେ ପ୍ରବେଶ କରିଛି । ହେଲେ କ୍ୱାଲିଫାୟର-୨ରେ ମୁମ୍ବାଇର ଟ୍ରାକ ରେକର୍ଡ ଉତ୍ସାହଜନକ ନୁହେଁ । ଦଳ ଏଲିମିନେଟର ଜିତି କେବେ କ୍ୱାଲିଫାୟର-୨ ଜିତି ପାରିନି ।
ମୁମ୍ବାଇ ଦଳ ଏ ପର୍ଯ୍ୟନ୍ତ ଚାରି ଥର କ୍ୱାଲିଫାୟର-୨ ଖେଳିଛି । ଏଥିରୁ ଦଳ ଦୁଇଟି ମ୍ୟାଚ୍ ଜିତିଥିବା ବେଳେ ଦୁଇଟି ହାରିଛି । ଏଲିମିନେଟର ଜିତି ଦୁଇଟି କ୍ୱାଲିଫାୟର-୨ ଖେଳି ପରାଜିତ ହୋଇଛି ମୁମ୍ବାଇ । କିନ୍ତୁ କ୍ୱାଲିଫାୟର-୧ ହାରିବା ପରେ ଦଳ ଦୁଇ ଥର କ୍ୱାଲିଫାୟର-୨ ଖେଳି ଉଭୟ ମ୍ୟାଚ୍ ଜିତିଛି । ତେଣୁ ଏଲିମିନେଟର ଜିତି କ୍ୱାଲିଫାୟର-୨ରେ ପ୍ରବେଶ କରିଥିବା ମୁମ୍ବାଇର ରେକର୍ଡ ବହୁତ ଚିନ୍ତାଜନକ ରହିଛି ।
୨୦୧୧ରେ ପ୍ଲେ ଅଫ ନିୟମ ଆରମ୍ଭ ହୋଇଥିଲା । ଏହି ସିଜିନରେ ମୁମ୍ବାଇ ପ୍ରଥମ ଥର ଏଲିମିନେଟର ଜିତି କ୍ୱାଲିଫାୟର-୨ରେ ପ୍ରବେଶ କରିଥିଲା । ହେଲେ ଦଳକୁ କ୍ୱାଲିଫାୟର-୨ରେ ପରାଜୟର ସାମ୍ନା କରିବାକୁ ପଡିଥିଲା । ଏହା ପରେ ୨୦୧୩ରେ ମୁମ୍ବାଇ କ୍ୱାଲିଫାୟର-୧ରେ ଚେନ୍ନାଇଠୁ ହାରିବା ପରେ କ୍ୱାଲିଫାୟର-୨ରେ ରାଜସ୍ଥାନ ରୟାଲ୍ସକୁ ମାତ୍ ଦେଇଥିଲା । ଏହା ପରେ ୨୦୧୭ରେ କ୍ୱାଲିଫାୟର-୧ରେ ରାଇଜିଂ ପୁଣେ ସୁପର ଜାଏଣ୍ଟସଠୁ ହାରିବା ପରେ କ୍ୱାଲିଫାୟର-୨ରେ କେକେଆରକୁ ହରାଇଥିଲା ।
ଏଲିମିନେଟର ଜିତ ୨୦୨୩ରେ କ୍ୱାଲିପାୟର ୨ରେ ଦ୍ୱିତୀୟ ଥର ପ୍ରବେଶ କରିଥିଲା ମୁମ୍ବାଇ । ଏଲିମିନେଟରର ଦଳ ଲଖନଉ ସୁପର ଜାଏଣ୍ଟସକୁ ହରାଇଥିଲା । କିନ୍ତୁ କ୍ୱାଲିଫାୟର-୨ରେ ଗୁଜରାଟ ଟାଇଟନ୍ସଠୁ ଦଳ ପରାଜିତ ହୋଇଥିଲା । ଏବେ ପୁଣି ଥରେ ଏଲିିମିନେଟର ଜିତିବା ପରେ କ୍ୱାଲିଫାୟର-୨ରେ ପହଞ୍ଚିଛି ମୁମ୍ବାଇ ଇଣ୍ଡିଆନ୍ସ । ଏଥର ମୁକାବିଲା ପଞ୍ଜାବ କିଙ୍ଗ୍ ସ ସହ ରହିଛି ।
କ୍ୱାଲିଫାୟର-୨ରେ ମୁମ୍ବାଇ ଇଣ୍ଡିଆନ୍ସର ଟ୍ରାକ ରେକର୍ଡ
୨୦୧୧ରେ ଏଲିମିନେଟରରେ ବିଜୟ, କ୍ୱାଲିଫାୟର-୨ରେ ପରାଜୟ
୨୦୧୩ରେ କ୍ୱାଲିଫାୟର-୧ରେ ପରାଜୟ, କ୍ୱାଲିଫାୟର-୨ରେ ବିଜୟ
୨୦୧୭ରେ କ୍ୱାଲିଫାୟର-୧ରେ ପରାଜୟ, କ୍ୱାଲିଫାୟର-୨ରେ ବିଜୟ
୨୦୨୩ରେ ଏଲିମିନେଟରରେ ବିଜୟ, କ୍ୱାଲିଫାୟର-୨ରେ ପରାଜୟ
୨୦୨୫ରେ ଏଲିମିନେଟରରେ ବିଜୟ, କ୍ୱାଲିଫାୟରରେ ଫଳାଫଳ ବାକି