ଚଣ୍ଡିଗଡ: ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ୨୦୨୫ର ଏଲିମିନେଟର ମ୍ୟାଚରେ ଗୁଜରାଟ ଟାଇଟନ୍ସକୁ ୨୦ ରନରେ ହରାଇଛି । ବିଜୟ ସହ ମୁମ୍ବାଇ କ୍ୱାଲିଫାୟର -୨ରେ ପ୍ରବେଶ କରିଛି । ଏବେ କ୍ୱାଲିଫାୟର-୨ରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚ୍ ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଅନ୍ୟପଟେ ପରାଜୟ ସହ ଗୁଜରାଟ ଟାଇଟନ୍ସ ଚଳିତ ସିଜିନରୁ ବିଦାୟ ନେଇଛି । ରୋହିତ ଶର୍ମା ୮୧ ରନର ଇନିଂସ ଖେଳି ମୁମ୍ବାଇ ଇଣ୍ଡିଆନ୍ସ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୨୨୮ ରନର ବିଶାଳ ସ୍କୋର କରିଥିଲା । ଜବାବରେ ଗୁଜରାଟ ୨୦୮ ରନ କରି ପାରିଥିଲା । ସାଇ ସୁଦର୍ଶନ ୮୦ ରନର ଇନିଂସ ଖେଳିଥିଲେ ହେଁ ଦଳକୁ ଜିତାଇ ପାରି ନାହାନ୍ତି ।
୨୨୯ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ଗୁଜରାଟର ଆରମ୍ଭ ନିରାଶଜନକ ଥିଲା । ଅଧିନାୟକ ଶୁଭମନ ଗିଲ୍ ମାତ୍ର ଏକ ରନ କରି ପ୍ରଥମ ଓଭରରେ ଆଉଟ୍ ହୋଇଥିଲେ । ଏହା ପରେ ସାଇ ସୁଦର୍ଶନ ଓ କୁଶଲ ମେଣ୍ଡିସ ୪୬ ରନ ଯୋଡିଥିଲେ । ମାତ୍ର ମେଣ୍ଡିସ ୨୦ ରନ କରି ପାଭିଲିୟନ ଫେରିଥିଲେ ।
ସାଇ ସୁଦର୍ଶନ ୱାଶିଂଟନ ସୁନ୍ଦରଙ୍କ ସହ ମିଶି ୮୪ ରନ ଯୋଡି ଦଳର ବିଜୟ ଆଶା ଉଜ୍ଜିବୀତ ରଖିଥିଲେ । ମାତ୍ର ସୁନ୍ଦର ୨୪ ବଲରୁ ୪୮ ରନର ବିସ୍ଫୋରକ ଇନିଂସ ଖେଳି ଆଉଟ୍ ହୋଇଥିଲେ । ସୁନ୍ଦରଙ୍କ ଆଉଟ୍ ପରେ ଗୁଜରାଟ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଚାଲିଥିଲା । ଶେରଫନ ରଦରଫୋର୍ଡ ୨୪ ରନ ଓ ଶାହରୁଖ ଖାନ ୧୩ ରନ କରି ପାଭିଲିୟନ ଫେରିଥିଲେ । ରାହୁଲ ତେୱତିଆ ସେଟ୍ ହେବା ପରେ ବି ମାତ୍ର ୧୬ ରନ କରି ପାରିଥିଲେ ।
ସାଇ ସୁଦର୍ଶନ ଏଲିମିନେଟର ମ୍ୟାଚରେ ୪୯ ବଲରୁ ୮୦ ରନର ଇନିଂସ ଖେଳି ଦଳର ବିଜୟ ଆଶା ଉଜ୍ଜିବୀତ ରଖିଥିଲେ । ସେ ନିଜ ଇନିଂସରେ ୧୦ ଚୌକା ଏବଂ ଗୋଟିଏ ଛକା ମାରିଥିଲେ । ମାତ୍ର ତାଙ୍କର ଏହି ଦମଦାର ଇନିଂସ ଉପରେ ରୋହିତ ଶର୍ମାଙ୍କ ୮୧ ରନ ଭାରି ରହିଥିଲା । ରୋହିତ ୫୦ ବଲରୁ ୮୧ ରନ କରିଥିଲେ । ଏଥିରେ ୯ ଚୌକା ଓ ୪ ଛକା ସାମିଲ ।
ରୋହିତଙ୍କ ବ୍ୟତୀତ ଜୋନି ବେୟାରଷ୍ଟୋ ୨୨ ବଲରୁ ୪୭ ରନର ବିସ୍ଫୋରକ ଇନିଂସ ଖେଳି ମୁମ୍ବାଇକୁ ଭଲ ଆରମ୍ଭ ଦେଇଥିଲେ । ମଧ୍ୟକ୍ରମରେ ସୂର୍ଯ୍ୟକୁମାର ଯାଦବ ୩୩ ରନର ଇନିଂସ ଖେଳିଥିଲେ । ତିଳକ ବର୍ମା ୧୧ ବଲରୁ ୨୫ ରନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୯ ବଲରୁ ୨୨ ରନ କରି ଭଲ ଫିନିସ କରିଥିଲେ । ଫଳରେ ମୁମ୍ବାଇ ୫ ୱିକେଟ୍ ହରାଇ ୨୨୮ ରନର ବିଶାଳ ସ୍କୋର କରି ପାରିଥିଲା ।