ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ଟି-୨୦ ପୁରୁଷ ବିଶ୍ବକପ ଆମେରିକାରେ ଜାରି ରହିଛି। ଟୁର୍ଣ୍ଣାମେଣ୍ଟର ଏକ ମୁକାବିଲାରେ ରବିବାର ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ। ନ୍ୟୁୟର୍କର ନସାଉସ୍ଥିତ କାଉଣ୍ଟି ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ପାକିସ୍ତାନ ବିପକ୍ଷରେ ଭାରତ ରୋମାଞ୍ଚକର ବିଜୟ ହାସଲ କରିଛି। ଏହି ମ୍ୟାଚକୁ ଟିମ୍ ଇଣ୍ଡିଆ ୬ ରନ୍ରେ ଜିତିଛି।
ଭାରତ ଠାରୁ ପାକିସ୍ତାନ ପରାଜିତ ହେଲା ପରେ ପାକିସ୍ତାନୀ ଦର୍ଶକ ନିରାଶ ହୋଇଛନ୍ତି। ନିଜ ଟିମ୍ ବିପକ୍ଷରେ ମନ୍ତବ୍ୟ ଦେବାକୁ ମଧ୍ୟ ପଛାଇ ନାହାନ୍ତି। ଜଣେ ସମର୍ଥକ କହିଛନ୍ତି ସେ ୩୦୦୦ ଡଲାର (ଭାରତୀୟ ମୁଦ୍ରାରେ ଅଢ଼େଇ ଲକ୍ଷ ଟଙ୍କା) ଦେଇ ଏକ ଟିକେଟ୍ କିଣିଥିଲେ। ଏଥି ପାଇଁ ସେ ନିଜର ଟ୍ରାକ୍ଟର ବିକ୍ରି କରିଦେଇ ମ୍ୟାଚ ଦେଖିବାକୁ ନ୍ୟୁୟର୍କ ପହଞ୍ଚି ଥିଲେ। ସେ କହିଛନ୍ତି, ଆମେ ଯେତେବେଳେ ଭାରତର ସ୍କୋର ଦେଖିଲୁ, ଆମେ ଭାବି ନଥିଲୁ ଯେ, ପାକିସ୍ତାନ ହାରିଯିବ। ଖେଳ ଆମ ହାତରେ ରହିଛି। କିନ୍ତୁ ବାବର ଆଜମ ଆଉଟ ହୋଇଯିବା ପରେ ନିରାଶ ହେବାକୁ ପଡ଼ିଥିଲା। ଟିମ୍ ଇଣ୍ଡିଆ ବିଜୟ ପାଇଁ ଶୁଭେଚ୍ଛା ଜଣାଉଛି। ଏହି ପରାଜୟକୁ ନେଇ ମୁଁ ନିରାଶ ଅନୁଭବ କରୁଛି।
ସୂଚନାଯୋଗ୍ୟ, ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ୍ ହରାଇ ୧୧୯ ରନ୍ ସଂଗ୍ରହ କରିଥିଲା। ଯୁବ ବ୍ୟାଟର ଋଷଭ ପନ୍ତ ଦଳ ପାଇଁ ସର୍ବାଧିକ ବ୍ୟକ୍ତିଗତ ସ୍କୋର ୪୨ ରନ୍ କରିଥିଲେ। ଅଲରାଉଣ୍ଡର ଅକ୍ଷର ପଟେଲ ୨୦ ରନ୍, ଅଧିନାୟକ ରୋହିତ ଶର୍ମା ୧୩ ରନ୍ କରିଥିଲେ। ସେହିପରି ଭାରତୀୟ ବୋଲର ଯଶପ୍ରୀତ ବୁମରା ୩ଟି ୱିକେଟ୍ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୨ଟି ଓ ଅର୍ଶଦୀପ ସିଂହଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା। ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ ହରାଇ ୧୧୩ ରନ୍ କରିଥିଲା।