ପୁରୀ: ରବିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ପାଇଁ ଭାରତୀୟ କ୍ରିକେଟ୍ ଦଳ ଗତକାଲି ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି । ରବିବାର ମ୍ୟାଚ୍ ପୂର୍ବରୁ ଶନିବାର ସକାଳେ ଭାରତୀୟ ଦଳର କିଛି ଖେଳାଳି ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଦର୍ଶନ କରିଥିବା ଖେଳାଳିମାନେ ହେଉଛନ୍ତି ସ୍ପିନର ବରୁଣ ଚକ୍ରବର୍ତ୍ତୀ, ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଓ ଅକ୍ଷର ପଟେଲ । ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥାରେ ତିନି ଖେଳାଳି ଭୁବନେଶ୍ୱରରୁ ଯାଇ ପୁରୀରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶିଷ ଲାଭ କରିଛନ୍ତି । ଏ ନେଇ ପୁରୀ ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ।
ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ଆଜି ସନ୍ଧ୍ୟା ୫ଟାରେ ଭାରତୀୟ ଦଳ ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିବେ । ତେବେ ଇଂଲଣ୍ଡ ଦଳ ଆଜି ଅଭ୍ୟାସ କରିବ ନାହିଁ । ଆଜ ଅପରାହ୍ଣ ୧ଟାରୁ ୪ଟା ପର୍ଯ୍ୟନ୍ତ ଦଳର ଅଭ୍ୟାସ କାର୍ଯ୍ୟକ୍ରମ ଥିଲା । ତେବେ ଭାରତୀୟ ଖେଳାଳିଙ୍କ ଅଭ୍ୟାସ ପାଇଁ ଷ୍ଟାଡିୟମରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର ମେ ଫେୟାରରେ ରହୁଥିବା ଖେଳାଳିଙ୍କ ପାଇଁ ଅଭ୍ୟାସ ଓ ରବିବାର ମ୍ୟାଚ୍ ପାଇଁ ଓସିଏ ପକ୍ଷରୁ ସ୍ୱତନ୍ତ୍ର ପରିବହନ ବ୍ୟବସ୍ଥା କରାଯାଇଛି । ଓସିଏ ପକ୍ଷରୁ ୫ଟି ସ୍ୱତନ୍ତ୍ର ବସ କମିଶନରେଟ୍ ପୋଲିସକୁ ହସ୍ତାନ୍ତର କରାଯାଇଛି ।
ଆଜି ଦର୍ଶକ ଭାରତୀୟ ଖେଳାଳିଙ୍କ ଅଭ୍ୟାସ ବାରବାଟୀ ଷ୍ଟାଡିୟମର ଗ୍ୟାଲେରୀ ନଂ ୫କୁ ଯାଇ ଦେଖି ପାରିବେ । ଦର୍ଶକଙ୍କ ଭିଡକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୂଚନାଯୋଗ୍ୟ, ନାଗପୁରରେ ଖେଳା ଯାଇଥିବା ପ୍ରଥମ ଦିନିକିଆରେ ଭାରତ ବିଜୟୀ ହୋଇ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି ।