ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳ ଦୁବାଇରେ ପହଞ୍ଚି ଅଭ୍ୟାସ ଆରମ୍ଭ କରି ଦେଇଛି । ଭାରତ ନିଜର ପ୍ରଥମ ମ୍ୟାଚ୍ ଫେବୃଆରୀ ୨୦ରେ ବାଂଲାଦେଶ ବିପକ୍ଷରେ ଖେଳିବ । ତେବେ ଏହା ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ବଡ ଝଟକା । ଏକ ରିପୋର୍ଟ ଅନୁଯାୟୀ, ୱିକେଟ୍ କିପର ବ୍ୟାଟର ଋଷଭ ପନ୍ତ ଆହତ ହୋଇଛନ୍ତି । ପନ୍ତଙ୍କୁ ଅଭ୍ୟାସ ସମୟରେ ଆଣ୍ଠୁରେ ଆଘାତ ଲାଗିଛି । ତେବେ ଏ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ ।
ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଫେବୃଆରୀ ୨୩ରେ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବ । ଏହା ପୂର୍ବରୁ ବାଂଲାଦେଶ ସହିତ ମ୍ୟାଚ୍ ଖେଳି ଭାରତ ନିଜର ଅଭିଯାନ ଆରମ୍ଭ କରିବ । ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ପନ୍ତଙ୍କ ଆଣ୍ଠୁରେ ଆଘାତ ଲାଗିଛି । ଆଘାତ ଲାଗିବା ପରେ ତୁରନ୍ତ ପଡିଆରୁ ଫେରି ଯାଇଥିଲେ । ତେବେ ତାଙ୍କ ଆଘାତ ସମସ୍ୟା କେତେ ଗମ୍ଭୀର ରହିଛି ତାହା ଜଣା ପଡିନି ।
ସୂଚନାଯୋଗ୍ୟ, ପନ୍ତଙ୍କ ୨୦୨୨ ଡିସେମ୍ବର ୩୦ରେ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ସେ ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କୁ ସଂପୂର୍ଣ୍ଣ ଫିଟ୍ ହେବାକୁ ଦେଢ ବର୍ଷରୁ ଅଧିକ ସମୟ ଲାଗିଥିଲା । ଏହା ପରେ ସେ କ୍ରିକେଟ୍ ମଇଦାନକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏବେ ପୁଣି ଥରେ ଆଣ୍ଠୁରେ ତାଙ୍କର ଆଘାତ ଲାଗିଛି । ଏବେ ପ୍ରଶ୍ନ ଉଠୁଛି କଣ ପନ୍ତ ଆହତ କାରଣରୁ ବାଂଲାଦେଶ ବିପକ୍ଷ ପ୍ରଥମ ମ୍ୟାଚରୁ ବାଦ୍ ପଡିବେ ।